ଓଡିଶା

odisha

ତାମିଲନାଡୁରେ ଜାରି ବର୍ଷା ବିତ୍ପାତ; ୩ ଜଣଙ୍କ ମୃତ୍ୟୁ, ବିମାନ ଚଳାଚଳ ବାତିଲ

Tamil Nadu Rain Updates: ପ୍ରବଳ ବର୍ଷାରେ ବେହାଲ ତାମିଲନାଡ଼ୁ । ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Dec 19, 2023, 8:44 AM IST

Published : Dec 19, 2023, 8:44 AM IST

ତାମିଲନାଡୁରେ ବର୍ଷା ବିତ୍ପାତ
ତାମିଲନାଡୁରେ ବର୍ଷା ବିତ୍ପାତ

ଚେନ୍ନାଇ: ତାମିଲନାଡୁରେ ପୁଣିଥରେ ଲଗାଣ ବର୍ଷା ବିପର୍ଯ୍ୟୟ ଆଣିଛି । ପ୍ରବଳ ବର୍ଷା ଯୋଗୁଁ କନ୍ୟାକୁମାରୀ, ତିରୁନଭେଲି, ତୁତିକୋରେନ ଏବଂ ତେନକାଶୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦକ୍ଷିଣ ତାମିଲନାଡ଼ୁର ବିଭିନ୍ନ ଅଞ୍ଚଳରେ ଥିବା ଗାଁ ଗଣ୍ଡା, ସହରର ରାସ୍ତାଘାଟ ନଦୀର ଭ୍ରମ ସୃଷ୍ଟି କରୁଛି । ଯୁଆଡେ ଚାହିଁଲେ ଖାଲି ପାଣି ହିଁ ପାଣି । ରାସ୍ତାଘାଟ ଏବଂ ଆବାସିକ ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହୋଇ ଘରେ ପାଣି ପଶିବାରୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ସେହିପରି ଏହି ବର୍ଷା ଜନିତ ବିଭିନ୍ନ କାରଣରୁ ରାଜ୍ୟରେ ଏ ପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ୪ଟି ଜିଲ୍ଲାରେ ତଳିଆ ଅଞ୍ଚଳରେ ରହୁଥିବା ହଜାର ହଜାର ଲୋକଙ୍କୁ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

ସୋମବାର ମୂଷଳ ଧାରା ବର୍ଷା ଯୋଗୁଁ ତୁତିକୋରେନ ବିମାନ ବନ୍ଦରରେ ଅତିକମରେ ୮ଟି ବିମାନ ଚଳାଚଳକୁ ବାତିଲ କରାଯାଇଥିଲା । ସେହିପରି ଅନେକ ଟ୍ରେନ ଆଂଶିକ ଏବଂ ସମ୍ପୂର୍ଣ୍ଣ ଭାବେ ବାତିଲ୍ ହୋଇଛି । ଥୁଥୁକୁଡି ଜିଲ୍ଲାର ବିଭିନ୍ନ ରେଳ ଷ୍ଟେସନରେ ପ୍ରାୟ ୮୦୦ରୁ ଅଧିକ ଯାତ୍ରୀ ଅଟକ ରହିଥିବାର ସୂଚନା ରହିଛି । କନ୍ୟାକୁମାରୀ, ତିରୁନଭେଲି, ତୁତୁକୋରେନ ଏବଂ ତେନକାଶୀ ଜିଲ୍ଲାରେ ବନ୍ୟାଜଳରେ ଫସି ରହିଥିବା ପାଖାପାଖି ୭,୪୩୪ ଲୋକଙ୍କୁ ୮୪ଟି ରିଲିଫ୍ କେନ୍ଦ୍ରରେ ସ୍ଥାନାନ୍ତରଣ କରାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ମୋଟ ୪୨୫ଟି ବିପର୍ଯ୍ୟୟ ମୁକାବିଲ ଟିମ୍ ମୁତୟନ ହୋଇଛନ୍ତି ।

ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ଜିଲ୍ଲାଗୁଡିକରେ ଛୁଟି ଘୋଷଣା ହୋଇଛି । ତିରୁନଭେଲି ଏବଂ ଥୁଥୁକୁଡି ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ ରହିଛି । ପ୍ରବଳ ବର୍ଷାରେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଛି । ଅନେକ ଅଞ୍ଚଳରେ ମୋବାଇଲ ଫୋନ କନେକ୍ଟଭିଟି ଏବଂ ପରିବହନ ସେବା ଗୁରୁତର ପ୍ରଭାବିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଜଳମୟ ତାମିଲନାଡୁ, ଡ୍ରୋନ୍ କ୍ୟାମେରାରେ ବନ୍ୟାର ଭୟଙ୍କର ଦୃଶ୍ୟ

ଭାରତୀୟ ପାଣିପାଗ ସୂଚନା ଅନୁସାରେ, ସୋମବାର ଥୁଥୁକୁଡି ଜିଲ୍ଲାରେ ସର୍ବାଧିକ ୯୫ ସେମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ମନ୍ଦିର ମାଳିନୀ ସହର ତିରୁଚେନ୍ଦୁରରେ ଅତ୍ୟଧିକ ବର୍ଷା ହୋଇଛି । ତିରୁନଭେଲି ଜିଲ୍ଲାର ମଞ୍ଜୋଲାଇ ସମେତ ଅନେକ ଅଞ୍ଚଳରେ ୫୦ ସେମି ବର୍ଷା ରେକର୍ଡ ହୋଇଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ସମୀକ୍ଷା କରିବାକୁ ନିଜର ୪ ଜଣ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ, ଇଭି ଭେଲୁ, ବି ମୂର୍ତ୍ତି, ଆରଏସ ରାଜକନ୍ନାପ୍ପନ ଏବଂ ବ୍ୟୁରୋକ୍ରାଟଙ୍କୁ ନିଯୁକ୍ତ କରିଛନ୍ତି ।

ଏଥିସହ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ରାଜ୍ୟର ବନ୍ୟା ସ୍ଥିତି ସମ୍ପର୍କରେ ଅବଗତ କରାଇବେ । ସାମୁଦ୍ରିକ ଝଡ଼ ମିଗଜୋମ ସମୟରେ ମଧ୍ୟ ଷ୍ଟାଲିନ କେନ୍ଦ୍ରକୁ ରିଲିଫ୍ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ମାଗିଥିଲେ । ରାଜ୍ୟର ମୁଖ୍ୟ ଶାସନ ସଚିବ ଶିବ ଦାସ ମୀନା କହିଛନ୍ତି, ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ଯୋଗାଇବାକୁ ଆଜି ବାୟୁସେନାର ୫ଟି ହେଲିକପ୍ଟର ନିୟୋଜିତ କରାଯିବ । ବିପର୍ଯ୍ୟୟ ମୁକାବିଲା ଟିମ୍ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ABOUT THE AUTHOR

...view details