ନୂଆଦିଲ୍ଲୀ:ଦେଶରେ ପୁଣି ବଢିବ ତାତି । ଜାରି ରହିବା ଗ୍ରୀଷ୍ମ ପ୍ରବାହ । ଆଗକୁ ଆହୁରି 5 ଦିନ ଗରମରେ କଲବଲ ହେବେ ଦେଶବାସୀ । ଏହାସହ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର କିଛି ଅଞ୍ଚଳ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ଆଇଏମଡି ।
ଉତ୍ତର-ପଶ୍ଚିମ ଅଞ୍ଚଳରେ ଆଉ ଦୁଇ ଡିଗ୍ରୀ ସେଲସିୟସ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ । ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ତାତି ବଢିବ । ଏହାସହ ଆଗାମୀ ତିନି ଦିନ ମଧ୍ୟରେ ପୂର୍ବ ଭାରତରେ ମଧ୍ୟ ପାରଦ ତଳକୁ ଖସିବନି ।
ପାକିସ୍ତାନ ପଟୁ ପଶ୍ଚିମା ପବନ ବହିବ । ପଶ୍ଚିମ, ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତର 14 ଟି ରାଜ୍ୟର ତାପମାତ୍ରା 44 ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି । ଉତ୍ତର ପ୍ରଦେଶର ଆହ୍ଲାବାଦରେ ସର୍ବୋଚ୍ଚ ତାପମାତ୍ରା 45.9 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅତି କମରେ ୩୬ଟି ସ୍ଥାନରେ ସର୍ବାଧିକ ତାପମାତ୍ରା 45 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ବୋଲି ଭାରତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜସ୍ଥାନ, ଗୁଜୁରାଟ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ଓଡିଶା, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । କେନ୍ଦ୍ରୀୟ ଭାରତ ଏବଂ ପୂର୍ବ ଭାରତରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତି ରହିବ । ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ।
ମେ 2ରୁ 4 ମଧ୍ୟରେ ଉତ୍ତର-ପଶ୍ଚିମ ହିମାଳୟ ଅଞ୍ଚଳରେ ହାଲୁକା କିମ୍ବା ମଧ୍ୟମ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ଭାରତର ସମତଳ ଭୂମିରେ ମେ 3 ରୁ4 ମଧ୍ୟରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ଶୁକ୍ରବାର ଦିନ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଧୂଳି ଝଡ଼ ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି ।