ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା (Shraddha Walker Murder Case) । ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀ ସାକେତ କୋର୍ଟରେ ଆଜି ହେବାକୁ ଥିବା ଜାମିନ ଆବେଦନ (Aftab Poonawalla Bail Plea) ଶୁଣାଣି ଆସନ୍ତା ଡିସେମ୍ବର ୨୨ ତାରିଖକୁ ଘୁଞ୍ଚିଛି । ଶୁଣାଣି ପୂର୍ବରୁ ଅଫତାବର ଓକିଲ ତାଙ୍କୁ ଭେଟିବା ଲାଗି କୋର୍ଟଙ୍କ ଅନୁମତି ମାଗିଥିଲେ, ମାତ୍ର କୋର୍ଟ ଏହାକୁ ଖାରଜ କରିଦେଇଥିବା ମଧ୍ୟ ଜଣାପଡ଼ିଛି ।
ଏହି ଶୁଣାଣି ବେଳେ ମୁଖ୍ୟ ଅଭିଯୁକ୍ତ ଭିଡ଼ିଓ କନଫରେନ୍ସିଂ ଜରିଆରେ ଅତିରିକ୍ତ ସେସନ ଜଜ୍ ବ୍ରିନ୍ଦା କୁମାରୀଙ୍କ ଆଗରେ ହାଜର ହୋଇଥିଲା । ଜଜ୍ ଜାମିନ ଆବେଦନ ପ୍ରତ୍ୟାହାର କରିବା ନେଇ କରିଥିବା ପ୍ରଶ୍ନରେ ଉତ୍ତର ରଖି ଅଫତାବ କହିଥିଲା ଯେ ସେ ନିଜ ଓକିଲଙ୍କ ସହିତ ଆଲୋଚନା କରିବା ପରେ ଏ ନେଇ ସ୍ପଷ୍ଟ କରିବ । ଏଥିଲାଗି ଏହି ଜାମିନ ଆବେଦନର ଶୁଣାଣିକୁ ସ୍ଥଗିତ ରଖାଯାଇଛି । ଆସନ୍ତା ଡିସେମ୍ବର ୨୨ ତାରିଖରେ ଏହାର ଶୁଣାଣି କରାଯିବ ବୋଲି କହିଛନ୍ତି କୋର୍ଟ । ସେପଟେ ଏହି ଘଟଣାରେ ସ୍ବତନ୍ତ୍ର ସରକାରୀ ଓକିଲ ନିଯୁକ୍ତିକୁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ମଞ୍ଜୁରୀ ଦେଇଛନ୍ତି ।
ଶ୍ରଦ୍ଧା ହତ୍ୟାକାଣ୍ଡ ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଜଣେ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିଯୁକ୍ତ କରିବା ଲାଗି ଉପରାଜ୍ୟପାଳଙ୍କ ନିକଟରେ ଆବେଦନ କରିଥିଲେ । ଯାହାକୁ ଉପରାଜ୍ୟପାଲ ମଞ୍ଜୁରୀ ଦେଇଛନ୍ତି । ଏବେ ଆଇନଜୀବୀ ମଧୁକର ପାଣ୍ଡେ ସ୍ବତନ୍ତ୍ର ସରକାରୀ ଓକିଲ ଭାବେ କୋର୍ଟରେ ଏହି ମାମଲା ଉପରେ ବିଶେଷ ନଜର ରଖିବେ । ଦିଲ୍ଲୀ ପୋଲିସର କହିବାନୁସାରେ ପଲିଗ୍ରାଫ ଟେଷ୍ଟ ଓ ଡିଏନଏ ମ୍ୟାପିଂ ରିପୋର୍ଟ ଏହି ମାମଲାରେ ବେଶ ସହାୟକ ହେବ ।