ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦକୁ ବୁଧବାର ସାବରମତି ଜେଲରୁ ପ୍ରୟାଗରାଜ ଅଣାଯାଇଛି । ତା'ର ସାନ ଭାଇ ତଥା ପୂର୍ବତନ ବିଧାୟକ ଖାଲିଦ ଅଜିମ ଓରଫ୍ ଅଶରଫଙ୍କୁ ମଧ୍ୟ ବରେଲି ଜେଲରୁ ନୈନି ସେଣ୍ଟ୍ରାଲ ଜେଲ୍ ନିଆଯାଇଛି । ଉମେଶ ପାଲ୍ ହତ୍ୟାକାଣ୍ଡ ମାମଲାରେ ଦୁହିଁଙ୍କୁ ଆଜି ସିଜେଏମ କୋର୍ଟରେ ହାଜର କରାଯିବ । ପୋଲିସ ଉଭୟଙ୍କୁ ରିମାଣ୍ଡରେ ନେବାକୁ ନିବେଦନ କରିବ । ତେବେ ସାବରମତି ଜେଲରୁ ଆସିବା ପୂର୍ବରୁ ଗତକାଲି(ବୁଧବାର) ଗ୍ୟାଙ୍ଗଷ୍ଟାର ଅତିକର ଘନିଷ୍ଠ ବନ୍ଧୁ ଓ ସହଯୋଗୀଙ୍କ ଘରେ ଛାପା ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଇଡିର ଅନେକ ଟିମ୍ ଗତକାଲି ସକାଳେ ପ୍ରୟାଗରାଜରେ ୧୫ରୁ ଅଧିକ ବାସଭବନ ଓ ପ୍ରତିଷ୍ଠାନରେ ଏକକାଳୀନ ଚଢାଉ କରିଛି ।
ଅତିକକୁ ସାହାଯ୍ୟ କରୁଥିବା ତାର ସମସ୍ତ ସହଯୋଗୀ ଇଡି ସ୍କାନରେ ରହିଛନ୍ତି । ଅତିକ ଅହମ୍ମଦ କଳାଧନ ଦ୍ବାରା ଅର୍ଜିତ କରିଥିବା ସମ୍ପତ୍ତି ଠାବ କରିବାକୁ ଟିମ୍ ତନଘନା ଚଳାଇଛି । ଏଥିପାଇଁ ଗତକାଲି(ବୁଧବାର) ଇଡି ପ୍ରୟାଗରାଜର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ କରିଛି । ଚଢାଉ ସମୟରେ ଅତିକର ସହଯୋଗୀଙ୍କ ଘରୁ ୭୫ ଲକ୍ଷ ନଗଦ ଟଙ୍କା ଜବତ କରିଛି ଇଡି । ଏଥିରେ ଉଭୟ ଭାରତୀୟ ଏବଂ ବିଦେଶୀ ମୁଦ୍ରା ରହିଛି ।
ଏହାସହିତ ୨୦୦ ବ୍ୟାଙ୍କ ପାସବୁକ, ଜମି କାଗଜପତ୍ର ଓ ୫୦ରୁ ଅଧିକ ସେଲ୍ କମ୍ପାନୀ ସହ ଜଡିତ ଦସ୍ତାବିଜ ଜବତ ହୋଇଛି । ଇଡି ରେଡ୍ କରୁଥିବା ବାସଭବନ ଏବଂ ପ୍ରତିଷ୍ଠାନରେ କାହାରିକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା । ରେଡ୍ ବେଳେ ସମ୍ପୃକ୍ତ ଘରେ ଥିବା ଲୋକମାନଙ୍କ ମୋବାଇଲ ଫୋନ ହେପାଜତକୁ ନିଆଯାଇଛି ।