ରାଞ୍ଚି: ଝାଡଖଣ୍ଡ ରାଜ୍ୟର ଗାଢଓ୍ବା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନବଜାତ ଶିଶୁର ମୃତ୍ୟୁ ପରେ ଅଳିଆ ଗଦାରେ ପୋଡି ଦେଲେ ଏଏନଏମ ଓ ସେବିକା । ପରିବାରକୁ ଦେଲେନି ଖବର । ଏହି ଅମାନବୀୟ ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ଏଏନଏମ ଓ ସେବିକା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।
ସୂଚନା ମୁତାବକ, ମାଜିଆନଭ ନିବାସୀ ମଧୁ ଦେବୀ ନାମକ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ପାଇଁ ମାଜିଆନଭ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମଧୁ ଦେବୀ ଏକ ମୃତ ସନ୍ତାନକୁ ଜନ୍ମ ଦେଇଥିଲେ । ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଏଏନ୍ଏମ ଏବଂ ସେବିକା ତାଙ୍କ ସମ୍ପର୍କୀୟଙ୍କୁ ମୃତ ଶିଶୁ ଜନ୍ମ ହୋଇଥିବା ନେଇ ସୂଚନା ଦେଇଥିଲେ । ଏହା ପରେ ନବଜାତ ଶିଶୁର ସମ୍ପର୍କୀୟ ବଜାରକୁ ଯାଇଥିଲେ । ଏନେଇ କାହାରିକୁ କିି ନଜଣାଇ ଏଏନ୍ଏମ ଏବଂ ସେବିକା ନିକଟସ୍ଥ ଏକ ଅଳିଆ ଗଦାରେ ଶିଶୁଟିକୁ ପୋଡି ଦେଇଥିଲେ । ଯାହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁର ପରିବାର ଲୋକେ ଉତ୍ତେଜନା ସୃଷ୍ଟି କରିଥିଲେ ।
ମଧୁଦେବୀଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଅଳିଆ ପୋଡା ହେଉଥିଲା । ଆଉ ସେଥିରେ ନବଜାତ ଶିଶୁର ମୃତଦେହକୁ ମଧ୍ୟ ଫିଙ୍ଗି ଦେଇଥିବା ବେଳେ ମୃତଦେହଟି ସମ୍ପୁର୍ଣ୍ଣ ଜଳିଯାଇଥିବା ଜଣାପଡିଛି । ତେବେ ଏହି ଘଟଣା ଜଣାପଡିବା ପରେ ସମ୍ପର୍କୀୟମାନେ ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଥିଲେ ।
ଏହା ମଧ୍ୟ ପଢନ୍ତୁ- କାଳ ହେଲା ଲୁଚକାଳି ଖେଳ: କାରରେ ଲୁଚିଥିବା 4 ବର୍ଷୀୟା ଶିଶୁ କନ୍ୟାର ଚାଲିଗଲା ଜୀବନ