ବେଙ୍ଗାଲୁରୁ:ପ୍ରଫେଟ ମହମ୍ମଦଙ୍କ ଉପରେ ପ୍ରବନ୍ଧ ପ୍ରତିଯୋଗିତା କରି ପ୍ରଧାନଶିକ୍ଷକ ନିଲମ୍ବିତ । ଇସଲାମ ଧର୍ମର ପ୍ରତିଷ୍ଠାତା ପ୍ରଫେଟ ମହମ୍ମଦଙ୍କ ଉପରେ ପ୍ରବନ୍ଧ ପ୍ରତିଯୋଗିତା କରିବା ଭାରି ପଡ଼ିଛି ପ୍ରଧାନଶିକ୍ଷକଙ୍କୁ । ପ୍ରଧାନଶିକ୍ଷକ ଏକ ସରକାରୀ ହାଇସ୍କୁଲରେ ପ୍ରଫେଟ ମହମ୍ମଦଙ୍କ ଉପରେ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରିଥିଲେ । ଏଥିଯୋଗୁଁ ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏଭଳି ଘଟଣା ଘଟିଛି କର୍ଣ୍ଣାଟକ ଗାଡ଼ାଗ ଜିଲ୍ଲାରେ ।
ସୂଚନା ଅନୁସାରେ କର୍ଣ୍ଣାଟକ ଗାଡ଼ାଗ ଜିଲ୍ଲା ନାଗାଭି ଗାଁର ଏକ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରଫେଟ ମହମ୍ମଦଙ୍କ ଉପରେ ପ୍ରବନ୍ଧ ଲେଖିବାକୁ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ଘଟଣାଟି ଶିକ୍ଷା ବିଭାଗ ଉଚ୍ଚ ଅଧିକାରୀଙ୍କ ପର୍ଯ୍ୟନ୍ତ ଯାଇଥିଲା । ପରେ ଶିକ୍ଷା ବିଭାଗ ସଂପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଥିଲେ । ଏହାକୁ ନେଇ କର୍ଣ୍ଣାଟକ ପବ୍ଲିକ ଏଜୁକେଶନ ଡିପାର୍ଟମେଣ୍ଟର ଅତିରିକ୍ତ କମିଶନର ସିଦ୍ଦରାମାପ୍ପା ଏସ୍. ବିରାଦରା ହାଇସ୍କୁଲର ପ୍ରଧାନଶିକ୍ଷକ ଅବଦୁଲ ମୁନାଫ ବିଜାପୁରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ।
ଏ ସମ୍ପର୍କରେ ଶିକ୍ଷା ବିଭାଗର ଅତିରିକ୍ତ କମିଶନର କହିଛନ୍ତି, '' ସେ ଜଣେ ଦାୟୀତ୍ବ ସମ୍ପନ୍ନ ବ୍ୟକ୍ତି । ତେବେ ପ୍ରାଥମିକ ତଦନ୍ତ ବେଳେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହୋଇଥିଲା । ଏଣୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ ନେଇ ନିର୍ଦ୍ଦେଶ ଦିଆଯାଇଛି । ''