ଲକ୍ଷ୍ମୌ:ଉତ୍ତରପ୍ରଦେଶର ମିର୍ଜାପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଶନିବାର ବିଳମ୍ବିତ ରାତିରେ କାର ଓ ଟ୍ରଲର ମଧ୍ୟରେ ଧକ୍କା ହୋଇଥିବା ବେଳେ ଏହି ଦୁର୍ଘଟଣାରେ 4 ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ 3 ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତକଙ୍କ ମଧ୍ୟରେ 3 ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଟ୍ରଲର ଡ୍ରାଇଭରକୁ ଗିରଫ କରିବା ସହ ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲା ଅଦଲହାଟ ଥାନା ଅନ୍ତର୍ଗତ ସିକିୟା ସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଟ୍ରଲର ଓ କାର ମୁହାଁମୁହିଁ ଧକ୍କା ଫଳରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କ ହସ୍ପିଟାଲରେ ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିବାହ ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଦୁର୍ଘଟଣା ସମୟରେ କାରରେ ଚାଳକଙ୍କୁ ମିଶାଇ ମୋଟ 7 ଜଣ ଯାତ୍ରୀ ଥିଲେ । କାରରେ ଥିବା ଶକିଲ ବାନୋ, ହୁସ୍ନ ଆରା, ସମିତା ପରଓ୍ୱିନ, ଦିଲଶାନ ବକ୍ତିଆରଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ସମେତ ଅନ୍ୟ 3 ଜଣ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ।