ଅହମ୍ମଦାବାଦ: ଗୁଜୁରାଟ ଅହମ୍ମଦାବାଦ ମୁନିସିପାଲ କର୍ପୋରେସନ (AMC) ଉପରେ ବର୍ଷିଲେ ହାଇକୋର୍ଟ । ଲୋକେ କ'ଣ ଖାଇବେ ତାହା ଆପଣ ସ୍ଥିର କରିବେ ? କାଲି ମୁଁ ବାହାରେ କ'ଣ ଖାଇବି ତାହାର ନିଷ୍ପତ୍ତି ବି ଆପଣ ନେବେ ? କାରଣ କ୍ଷମତାରେ ଥିବା ବ୍ୟକ୍ତି ଅଚାନକ ଏହା ଚାହୁଁଛନ୍ତି । ରାସ୍ତାକଡ ଠେଲା ବ୍ୟବସାୟୀଙ୍କ ଦ୍ବାରା ଦାଏର ଏକ ମାମଲାର ଶୁଣାଣି କରି AMCକୁ ଏଭଳି ଭାବେ ଭର୍ତ୍ସନା କରିଛନ୍ତି ଗୁଜୁରାଟ ହାଇକୋର୍ଟ ।
ସମ୍ପୂର୍ଣ୍ଣ ଘଟଣାକ୍ରମ କିଛି ଏପରି ରହିଛି । ବିନା କୌଣସି ଅଧିକାରୀଙ୍କ ଆଦେଶରେ AMC ସହରର ରାସ୍ତାକଡରେ ମାଂସହାରୀ (Nonveg) ଖାଦ୍ୟ ବିକ୍ରି କରୁଥିବା କିଛି ଠେଲା ବ୍ୟବସାୟୀଙ୍କ ଠେଲାଗାଡିକୁ ଜବତ କରିଥିଲେ । ଏନେଇ ବ୍ୟବସାୟୀ ମହଲରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । ଏନେଇ ସେମାନେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ୨୦ ଜଣ ଠେଲା ବ୍ୟବସାୟୀଙ୍କ ଦ୍ବାରା ୨୫ ତାରିଖ ଦିନ ଫାଇଲ ହୋଇଥିବା ଉକ୍ତ ପିଟିସନର ଶୁଣାଣି କରିଛନ୍ତି ଗୁଜୁରାଟ ହାଇକୋର୍ଟ ।