ଭୋପାଳ:ମଧ୍ୟ ପ୍ରଦେଶରେ କ୍ଷମତା ବଜାୟ ରଖିଲା ଭାରତୀୟ ଜନତା ପାର୍ଟି । ମାତ୍ର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କ ପଦ ବଜାୟ ରଖିବେ, ନା ଦଳ ତାଙ୍କର କୌଣସି ବିକଳ୍ପ ଖୋଜିବ ସେନେଇ କୌଣସି ସ୍ପଷ୍ଟ ଚିତ୍ର ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି । ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ପ୍ରହ୍ଲାଦ ସିଂ ପଟେଲଙ୍କ ପରି ବରିଷ୍ଠ ନେତା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ବିଜୟ ଲାଭ କରିଥିବାରୁ ଚଳିତଥର ଶିବରାଜ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିକଳ୍ପବିହୀନ ମୁଁହ ନୁହନ୍ତି ବୋଲି ମଧ୍ୟ ବିଚାର ହେଉଛି ।
ଏହାରି ମଧ୍ଯରେ ଶିବରାଜଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ସ୍ବଚ୍ଛେକୃତ ଭାବେ ମୁଖ୍ୟମନ୍ତ୍ରୀ ପଦବୀ ଦୌଡରୁ ନିଜକୁ ଦୂରରେ ରଖିଛନ୍ତି । ନିଜକୁ ଦଳର ଜଣେ ଶୃଙ୍ଖଳିତ କର୍ମୀଭାବେ ଦର୍ଶାଇ ଶିବରାଜ ସିଂ କହିଛନ୍ତି, ତାଙ୍କର ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ନଥିଲା । ଚଳିତଥର ମଧ୍ୟ ସେ ମୁଖ୍ୟମନ୍ତ୍ରୀ ଆଶାୟୀ ନୁହନ୍ତି । ଦଳ ଯାହା ଦାୟିତ୍ବ ଦେଇଛି, ସେ ତାକୁ ସୁଚାରୁରୂପେ ନିର୍ବାହ କରିଛନ୍ତି । ଚଳିତଥର ମଧ୍ୟ ଦଳ ଯାହା ନିଷ୍ପତ୍ତି ଗ୍ରହଣ କରିବ ସେ ସ୍ବୀକାର କରିବେ । ସେ ଲବି ପାଇଁ ଦିଲ୍ଲୀ ଯାଉନାହାନ୍ତି ବରଂ ସେ ଦଳ ଭଲ କରିଥିବା ଛିନ୍ଦଓ୍ବାଡା କ୍ଷେତ୍ରକୁ ଲୋକଙ୍କୁ ଭେଟିବା ପାଇଁ ଯିବେ ବୋଲି ସେ କହିଛନ୍ତି ।
ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ପଦ ଦାବିଦାରୀର ଶୀର୍ଷରେ ଥିବ ଶିବରାଜ କହିଛନ୍ତି, ‘‘ମୁଁ କେବେ ମୁଖ୍ୟମନ୍ତ୍ରୀ ଆଶାୟୀ ନଥିଲି, ଆଜି ମଧ୍ୟ ନାହଁ । ଦଳ ଯାହା ଦାୟିତ୍ବ ଦେଇଛି, ସାଧୁତା ଓ ଉତ୍ସର୍ଗୀକୃତତାର ସହ ମୁଁ ନିର୍ବାହ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର ନେତା । ତାଙ୍କ ପାଇଁ ଗର୍ବ ଅନୁଭବ କରେ ଓ ତାଙ୍କ ସହ କାମ କରିବା ମୋ ପାଇଁ ଏକ ଖୁସିର ବିଷୟ । ମୁଁ ଦିଲ୍ଲୀ ଯାଉନାହିଁ, ଛିନ୍ଦଓ୍ବାଡା ଗସ୍ତ କରିବି । ସେଠାରେ ଲୋକଙ୍କ ସହ ଆଲୋଚନା କରିବି । 2024 ରେ ପ୍ରଧାନମନ୍ତ୍ରୀଙ୍କୁ ଏଠାରେ ବିଜୟୀ କରିବା ଓ ରାଜ୍ୟର ସମସ୍ତ ସଂସଦୀୟ ଆସନ ପ୍ରଧାନମନ୍ତ୍ରୀଙ୍କ ଭେଟି ଦେବା ପାଇଁ ମୁଁ ସଙ୍କଳ୍ପବଦ୍ଧ ।"