ଚଣ୍ଡିଗଡ: ହରିୟାଣାର ନୁହ ଜିଲ୍ଲାରେ ଧାର୍ମିକ ଶୋଭାଯାତ୍ରାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ପରେ ହିଂସାସ୍ଥାନରେ ବେଆଇନ ଜବରଦଖଲ ଉପରେ ଆରମ୍ଭ ହୋଇଥିଲା ବୁଲଡୋଜର ଆକ୍ସନ । ହେଲେ ଏହାକୁ ଆଜି ପଞ୍ଜାବ-ହରିୟାଣା ହାଇକୋର୍ଟ ରୋକ ଲଗାଇଛନ୍ତି । ତୁରନ୍ତ ଏହି ଉଚ୍ଛେଦ ଡ୍ରାଇଭ ବନ୍ଦ କରିବାକୁ ସ୍ଥାନୀୟ ପ୍ରଶାସନକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ହିଂସା ପରେ ବେଆଇନ ଜବରଦଖଲ ବିରୋଧରେ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିଲା ସ୍ଥାନୀୟ ପ୍ରଶାସନ । ଏପର୍ଯ୍ୟନ୍ତ 57 ଏକର ଜମି 35ଟି ସ୍ଥାନକୁ ନୋଟିସ କରିବା ସହ ଜବର ଦଖଲ ଉଚ୍ଛେଦ କରାଯାଇଛି । ପ୍ରଶାସନର ଏହି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ମାମଲା କୋର୍ଟରେ ପହଞ୍ଚିଥିଲା । ଆଜି ଏହି ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ନୁହ ଜିଲ୍ଲାରେ ଉଚ୍ଛେଦ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ଗତମାସ (ଜୁଲାଇ) ୩୧ ତାରିଖରେ ହରିୟାଣାର ନୁହରେ ବ୍ରଜମଣ୍ଡଳ ଯାତ୍ରା ସମୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି ହିଂସାକାଣ୍ଡରେ ୨ ଜଣ ହୋମଗାର୍ଡଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନୁହ, ପଲୱଲ, ଫରିଦାବାଦ, ମାନେସର, ସୋହନା ଏବଂ ପଟୌଦି ରେ ଇଣ୍ଟରନେଟ ସେବାକୁ ବନ୍ଦ କରିଥିଲୋ । ଏଥିସହିତ ୨୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ନୁହ ହିଂସାକାଣ୍ଡକୁ ନେଇ ୬ଟି ଭିନ୍ନ ଭିନ୍ନ ମାମଲା କୋର୍ଟରେ ରୁଜୁ ହୋଇଛି ।