ଚଣ୍ତିଗଡ: ହରିୟାଣାର ଚଣ୍ଡିଗଡ ସ୍ଥିତ ପିଜିଆଇଏମଇଆର(PGIMER)ରେ ସାଧାରଣ ଲୋକଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍ । ଏନେଇ ସେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମାନସୁଖ ମାଣ୍ଡଭିୟାଙ୍କୁ ଚିଠି ଲେଖିଛନ୍ତି । ଏହା ସହ PGI ମେଡିକାଲର ପୁରୁଣା କୋଠାକୁ ନବୀକରଣ କରିବା ନେଇ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଭେଟି ଏ ବାବଦରେ ଆଲୋଚନା କରିବାକୁ ମଧ୍ୟ ସେ ସମୟ ମାଗିଛନ୍ତି ।
ମାଣ୍ଡିଭିୟାଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି, ମୁଁ ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡିତ ଏକ ବିଷୟ ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି । ଚଣ୍ଡିଗଡ଼ ଉତ୍ତରାଞ୍ଚଳର ଏକ ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ପିଜିଆଇଏମଇଆର । ଯାହା ଉପରେ ଏଠାକାର ଏକାଧିକ ଲୋକେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭରଶୀଳ । ପଞ୍ଜାବ, ହିମାଚଳ ପ୍ରଦେଶ ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଜାମ୍ମୁ କାଶ୍ମୀର ଭଳି ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟକ ରୋଗୀ ଚିକିତ୍ସା ପାଇଁ ଚଣ୍ଡିଗଡ଼ ପିଜିଆଇଏମଇଆରକୁ ଆସନ୍ତି।