ହରିୟାଣା:ଭଗବାନ ଶ୍ରୀ କୃଷ୍ଣଙ୍କ ପ୍ରେମରେ ପାଗଳ ହରିୟାଣାର ସିନିୟର ଆଇପିଏସ୍ ଅଫିସର ଭାରତୀ ଅରୋରା । ଚାକିରୀରୁ ସ୍ବଇଚ୍ଛାରେ ଅବସର ଗ୍ରହଣ କରିବାକୁ ଚାହୁଁଥିଲେ । ଯାହାକୁ ହରିୟାଣା ସରକାର ଗ୍ରହଣ ନ କରି ଫେରାଇ ଦେଇଥିଲେ । ଡିଜିପି ଓ ଗୃହ ସଚିବଙ୍କ ମାଧ୍ୟମରେ ଉକ୍ତ ଅବସର ଗ୍ରହଣ ଫାଇଲଟି ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍ଙ୍କ ପାଖରେ ପହଞ୍ଚିଥିଲା । ବିଜ ଭାରତୀଙ୍କୁ ସଚ୍ଚୋଟ ଓ ସଫଳତମ ଅଧିକାରୀ କହିବା ସହ ଗୃହ ସଚିବ ରାଜୀବ ଅରୋରାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଭାରତୀ ଅରୋରାଙ୍କୁ ବୁଝାନ୍ତୁ, ଯେମିତି ସେ VRS ଫେରାଇ ନିଅନ୍ତୁ ।
୩ ମାସ ନୋଟିସ ପିରିୟଡ ସହ ଭାରତୀଙ୍କୁ ଅଗଷ୍ଟ ମାସ ସୁଦ୍ଧା ଚାକିରୀରୁ ନିବୃତ୍ତ କରିବାକୁ ଭାରତୀ ତାଙ୍କ VRS ପତ୍ରରେ ଲେଖିଥିଲେ । କିନ୍ତୁ ହରିୟାଣା ସରକାର ଚାହାଁନ୍ତି, ଭାରତୀ ପୋଲିସ ସେବାରେ ହିଁ ନିଜକୁ ନିୟୋଜିତ ରଖନ୍ତୁ । ଚାକିରୀ ନ ଛାଡନ୍ତୁ । କିନ୍ତୁ ଆଇପିଏସ ଭାରତୀ ନିଜ ନିଷ୍ପତ୍ତିରେ ଅଟଳ । ଭାରତୀ ଏମିତି ଜଣେ ପୋଲିସ ଅଧିକାରୀ, ଯାହାଙ୍କର ଗଣନା ହରିୟାଣାର କଡା ଓ ନିଷ୍ଠାବାନ ପୋଲିସଙ୍କ ମଧ୍ୟରେ କରାଯାଏ ।
୧୯୯୮ ବ୍ୟାଚର ଆଇପିଏସ୍ ଅଫିସର ଭାରତୀ ଅରୋରା କୁହନ୍ତି ଯେ, ସେ ଜୀବନର ଅନ୍ତିମ ଲକ୍ଷ୍ୟକୁ ପ୍ରାପ୍ତି କରିବାକୁ ଚାହାଁନ୍ତି । ସେ ଗୁରୁ ନାନକ ଦେବ, ଚୈତନ୍ୟ ମହାପ୍ରଭୁ, କବିର ଦାସ, ତୁଲସୀ ଦାସ, ମିରାବାଈ ଆଦି ସନ୍ଥମାନଙ୍କ ଦ୍ବାରା ନିର୍ଦ୍ଧାରିତ ମାର୍ଗରେ ଚାଲିବାକୁ ଚାହାଁନ୍ତି । ଭାରତୀ କୁହନ୍ତି ଯେ, ସେ ନିଜ ସେବାକୁ ନିଜର ଗୌରବ ଓ ନିଶା ଭାବେ ଗ୍ରହଣ କରିଛନ୍ତି । ଆଉ ଏବେ ପୋଲିସ ଅଧିକାରୀ ଭାବେ କାମ କରିବାକୁ ୨୩ ବର୍ଷ ପୁରିଗଲାଣି । ତେଣୁ ଏବେ VRS ନେବାକୁ ଚାହୁଁଛି ।