ଚଣ୍ଡୀଗଡ: ଚଣ୍ଡିଗଡ କାହାର ? ଏହାକୁ ନେଇ ଏବେ ହରିୟାଣା ଓ ପଞ୍ଜାବ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି । ଚଣ୍ଡିଗଡ ଉପରେ ପଞ୍ଜାବର ଅଧିକାର ସଂକ୍ରାନ୍ତୀୟ ପ୍ରସ୍ତାବ ପଞ୍ଜାବ ବିଧାନସଭାରେ ପାରିତ ହେବା ପରେ ହରିୟାଣା ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ହରିୟାଣା ସରକାର ବିଧାନସଭାର ଏକ ବିଶେଷ ଅଧିବେଶନ ଡକାଇଥିଲେ । ମଙ୍ଗଳବାର ଏହି ଏକ ଦିବସୀୟ ଅଧିବେଶନରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ଦ୍ବାରା ସର୍ବସମ୍ମତିକ୍ରମେ ଏକ ସଂକଳ୍ପ ପାରିତ(Haryana Resolution on Chandigarh) ହୋଇଛି । ଯେଉଁଥିରେ ପଞ୍ଜାବ ବିଧାନସଭା ଦ୍ବାରା କେନ୍ଦ୍ରଶାସିତ ଚଣ୍ଡିଗଡ ଉପରେ ଅଧିକାର ଦାବି ସମ୍ବନ୍ଧୀୟ ପ୍ରସ୍ତାବକୁ ନେଇ ଚିନ୍ତା ପ୍ରକଟ କରାଯାଇଛି ।
ବିଧାନସଭାରେ ମନ୍ତ୍ରୀ ରଣଜିତ ସିଂହ ଚୌଟାଲା କହିଛନ୍ତି, ଶାହା କମିଶନ ଅନୁସାରେ ଚଣ୍ଡିଗଡ ଉପରେ ପଞ୍ଜାବର ଯେତିକି ଅଧିକାର ଅଛି ସେତିକି ହରିୟାଣାର ରହିଛି ମଧ୍ୟ । ଆପ୍ ନେତା ସାଧାରଣ ଲୋକଙ୍କୁ ଗୁରୁତ୍ବପୂର୍ଣ୍ଣ ମୁଦ୍ଦାରୁ ଦୂରେଇ ରଖିବାକୁ ଏହିଭଳି ଭିତ୍ତିହୀନ ମୁଦ୍ଦା ଉଠାଉଛନ୍ତି । ବିଧାୟକ ବଳରାଜ କୁଣ୍ଡୁ ବିଧାନସଭାରେ କହିଛନ୍ତି, ରାଜନୈତିକ ନେତୃବୃନ୍ଦଙ୍କୁ ହରିୟାଣା ଓ ପଞ୍ଜାବ ଲୋକଙ୍କ ଭାବନା ସହ ଖେଳିବା ଅନୁଚିତ୍ ।