ନୂଆଦିଲ୍ଲୀ: ଗୁଗଲ କାର୍ଯ୍ୟାଳୟରେ ଉତ୍ପୀଡନ । ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ଚିଠି ଲେଖିଲେ ୫୦୦ କର୍ମଚାରୀ । ସରକାରୀ ହେଉ କି ବେସରକାରୀ କାର୍ଯ୍ୟାଳୟ ପ୍ରାୟ ସବୁ ସଂସ୍ଥାରେ ମହିଳା କର୍ମଚାରୀ ଯୌନ ଉତ୍ପୀଡନର ଶିକାର ହେବା ଖବର ଆପଣ ପଢିଥିବେ । ହେଲେ ଏଥିରେ ଏବେ ଯୋଡି ହୋଇ ଯାଇଛି ଗୁଗଲର ନାଁ । ଦିଗ୍ଜ ଟେକ୍ କମ୍ପାନୀ ଗୁଗଲ ଓ ଆଲ୍ଫାବେଟ୍ର ସିଇଓ ସୁନ୍ଦର ପିଚାଇଙ୍କୁ କମ୍ପାନୀର ୫୦୦ କର୍ମଚାରୀ ଚିଠି ଲେଖି ଗୁଗଲ ଅଫିସ୍ରେ ଚାଲିଥିବା ଉତ୍ପୀଡନକୁ ନେଇ ଅଭିଯୋଗ କରିଛନ୍ତି । ଉତ୍ପୀଡନ କରୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ନଦେବା ଏବଂ କର୍ମଚାରୀଙ୍କୁ ଶାନ୍ତିପୂର୍ଣ୍ଣ ମାହୋଲ ପ୍ରଦାନ କରିବାକୁ ଚିଠିରେ ଗୁହାରି କରାଯାଇଛି ।
ଗୁଗଲରେ ଇଞ୍ଜିନିୟର କାମ କରି ସାରିଥିବା ଏମି ନେଟ୍ଫିଲ୍ଡ ଦ ନ୍ୟୁୟର୍କ ଟାଇମ୍ସରେ ଲେଖିଥିବା ନିଜର ଓପିନିୟନ ପିସ୍ରେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ସେହି ବ୍ୟକ୍ତି ସହ ମିଟିଂ କରିବାକୁ ବାରମ୍ବାର ଚାପ ପକାଯାଉଥିଲା, ଯିଏ ତାଙ୍କୁ ହଇରାଣ କରୁଥିଲା । ଏମିଙ୍କ ଏହି ଅଭିଯୋଗ ପରେ ମାମଲା ବଡ ରୂପ ନେଇଛି । ଏମି ଓପିନୟନ ପିସ୍ରେ ଲେଖିଛନ୍ତି ଯେ, ମୋତେ ହଇରାଣ କରୁଥିବା ବ୍ୟକ୍ତି ଏବେ ମଧ୍ୟ ମୋ ପାଖରେ ବସୁଛି । ମୁଁ ଏହି ବିଷୟରେ କହିବାରୁ ମୋତେ ଘରୁ କାମ କରିବାକୁ କିମ୍ବା ଛୁଟିରେ ଚାଲି ଯିବାକୁ କୁହାଗଲା । ହେଲେ ଏବେ ମଧ୍ୟ ଗୁଗଲ ପକ୍ଷରୁ ଆନୁଷ୍ଠାନିକ ଭାବେ ନା କିଛି କୁହାଯାଇଛି ନା ପୂରା ମାମଲାରେ ସଫେଇ ଦିଆଯାଇଛି ।