ବେଙ୍ଗାଲୁରୁ: ଭାରତୀୟ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ବା HAL ଇସ୍ରୋକୁ ମହାକାଶ ଯାନଗୁଡିକ ଉତ୍କ୍ଷେପଣ ସମୟରେ ବ୍ୟବହାର ହେଉଥିବା କ୍ରାୟୋଜେନିକ ପ୍ରୋପେଲାଣ୍ଟ ଟ୍ୟାଙ୍କ(C32 LH2)କୁ ହସ୍ତାନ୍ତର କରିଛି । ଏହି ଟାଙ୍କଗୁଡିକ ମହାକାଶକୁ ଲଞ୍ଚ କରାଯାଉଥିବା ଯାନର ଧରି ରଖିବା କ୍ଷମତାକୁ ଉନ୍ନତ କରିବା ପାଇଁ ଡିଜାଇନ୍ କରାଯାଇଥାଏ ।
ଇସ୍ରୋକୁ ସର୍ବବୃହତ କ୍ରାୟୋଜେନିକ ଟ୍ୟାଙ୍କ ଦେଲା HAL ପ୍ରୋପେଲାଣ୍ଟ ଟ୍ୟାଙ୍କକୁ HALର ନିର୍ଦ୍ଦେଶକ ଏମ.ଏସ୍ ଭେଲପାରି ISROର ଏଲପିଏସସି ନିର୍ଦ୍ଦେଶକ ଡଃ ଭି ନାରାୟଣନଙ୍କୁ ହସ୍ତାନ୍ତର କରିଥିଲେ । ଏହି ଭର୍ଚ୍ଚୁଆଲ କାର୍ଯ୍ୟକ୍ରମରେ VSSCର ନିର୍ଦ୍ଦେଶକ ଏସ ସୋମନାଥ ଓ ISRO ଏବଂ HALର ଅନ୍ୟ ବରିଷ୍ଠ ବୈଜ୍ଞାନିକମାନଙ୍କ ଉପସ୍ଥିତ ଥିଲେ । ISROର ଏକ ମୂଲ୍ୟବାନ ଅଂଶୀଦାର ଭାବରେ ଭାରତର ମହାକାଶ କାର୍ଯ୍ୟକ୍ରମରେ HALର ଅବଦାନକୁ VSSCର ନିର୍ଦ୍ଦେଶକ ସୋମନାଥ ପ୍ରଶଂସା କରିଥିଲେ ।
ବିଭିନ୍ନ ପ୍ରକାରର ବୈଷୟିକ ପ୍ରଗତି ଏବଂ ସ୍ପେସ୍ ଲଞ୍ଚ ଯାନ ପାଇଁ ଯେକୌଣସି ପ୍ରକାରର ସ୍ପେସ୍ ହାର୍ଡୱେର୍ ଏବଂ ସଂରଚନା ଉତ୍ପାଦନରେ HALର ସାମର୍ଥ୍ୟକୁ ସେ ପ୍ରଶଂସା କରିଥିଲେ । ଏହାସହିତ ଯୋଗାଣ ଶୃଙ୍ଖଳାକୁ ଦୃଢ କରିବା ଦିଗରେ HALର ଭୂମିକାକୁ ସେ ଆଲୋକିତ କରିବା ସହିତ ବିକାଶ ପ୍ରକଳ୍ପର ସଫଳ ଉତ୍ପାଦନ ପାଇଁ HALର ସମସ୍ତ କର୍ମଜୀବୀଙ୍କୁ ସୋମନାଥ ଧନ୍ୟବାଦ ଜଣାଇଥିଲେ ।
ଗତ ପାଞ୍ଚ ଦଶନ୍ଧିରୁ ବିଭିନ୍ନ ପ୍ରକାର ସ୍ପେସ୍ ପ୍ରୋଗ୍ରାମ୍ ପାଇଁ HAL ଏକ ରଣନୈତିକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ISRO ସହିତ ଜଡିତ ରହିଛି । PSLV, GSLV-MkII ଏବଂ GSLV-MkIII ଲଞ୍ଚ ଯାନ ପାଇଁ HAL ଜଟିଳ ସଂରଚନା, ଟ୍ୟାଙ୍କେଜ୍, ଉପଗ୍ରହ ସଂରଚନା ଯୋଗାଇ ଦେଇଛି । PS2 / GS2ର ଏକୀକରଣ, ସେମି-କ୍ରିଓ ସଂରଚନା ଗଠନ ଏବଂ କ୍ରିଓ ଓ ସେମି କ୍ରିଓ ଇଞ୍ଜିନ୍ ଉତ୍ପାଦନ ଭଳି ବିଭିନ୍ନ ନୂତନ ପ୍ରକଳ୍ପ HALରେ ଗଠନ କରାଯାଉଛି । ଇସ୍ରୋର ବିଭିନ୍ନ ପ୍ରକଳ୍ପରେ HAL ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ