ଲକ୍ଷ୍ନୌ:ଜ୍ଞାନବ୍ୟାପୀ ମସଜିଦ ପରିସରରେ ମିଳିଥିବା ତଥାକଥିତ ଶିବଲିଙ୍ଗର କାର୍ବନ ଡେଟିଂ ସର୍ଭେ କରିବା ପାଇଁ ନିକଟରେ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏବେ ସମ୍ପୂର୍ଣ୍ଣ କମ୍ପ୍ଲେକ୍ସର ମଧ୍ୟ ସର୍ଭେ ହେବାକୁ ଯାଉଛି । ଏନେଇ ହୋଇଥିବା ଆବେଦନକୁ ବାରାଣାସୀ ଜିଲ୍ଲା କୋର୍ଟ ଗ୍ରହଣ କରିଛନ୍ତି । ଏହି ଆବେଦନ ହିନ୍ଦୁ ପକ୍ଷକୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ ଦ୍ବାରା କରାଯାଇଥିଲା । କୋର୍ଟ ଏହାକୁ ଗ୍ରହଣ କରିବା ପରେ ଖୁବଶିଘ୍ର ଏହି ବିବାଦୀୟ କମ୍ପ୍ଲେକ୍ସର ସର୍ଭେ ହେବା ନେଇ ଅନୁମାନ କରାଯାଉଛି ।
ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଦ୍ବାରା ସମ୍ପୂର୍ଣ୍ଣ କମ୍ପ୍ଲେକ୍ସର ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଇଥିଲା ହିନ୍ଦୁ ପକ୍ଷ । ଏହାକୁ କୋର୍ଟ ଗ୍ରହଣ କରିବା ସହ ମାମଲାର ପ୍ରତିପକ୍ଷ ଅଞ୍ଜୁମାନ ଇନ୍ତିଜାମିଆକୁ ଚଳିତ ମାସ (ମେ’) 19 ତାରିଖ ସୁଦ୍ଧା ଜବାବ ରଖିବାକୁ କହିଛନ୍ତି । ମେ’ 22 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।
ଆଜିର ଶୁଣାଣି ଓ କୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ସୂଚନା ଦେଇ ଆବେଦନକାରୀ ଆଇନଜୀବୀ ଜୈନ କହିଛନ୍ତି, ‘‘ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା ଦ୍ବାରା ଗ୍ରାଉଣ୍ଡ ପେନେଟ୍ରେଟିଂ ପ୍ରଣାଳୀ (GPR method) ବ୍ୟବହାର କରି ସମ୍ପୂର୍ଣ୍ଣ ଜ୍ଞାନବ୍ୟାପୀ କମ୍ପ୍ଲେକ୍ସର ସର୍ଭେ କରିବା ପାଇଁ ଆମେ ଅବେଦନ କରିଥିଲୁ । ଆଜି କୋର୍ଟ ତାହା ଗ୍ରହଣ କରିବା ସହ ପ୍ରତିପକ୍ଷ ଅଞ୍ଜୁମାନ ଇନ୍ତିଜାମିଆ ଓ ଉତ୍ତର ପ୍ରଦେଶ ସରକାରକୁ ମେ’ 19 ତାରିଖ ସୁଦ୍ଧା ସେମାନଙ୍କର ପ୍ରତିଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।’’