ASI ସର୍ଭେରୁ ଆସିବ ଜ୍ଞାନବାପୀ ସତ, ରାମ ମନ୍ଦିର ମାମଲାରେ ହୋଇଛି ପ୍ରମାଣିତ ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବାରଣାସୀ ଜିଲ୍ଲା କାଶୀବିଶ୍ବନାଥ ମନ୍ଦିର ପାର୍ଶ୍ବରେ ଥିବା ଜ୍ଞାନବାପୀ ମସଜିଦ (Gyanvapi mosque) ର ଏଏସଆଇ ସର୍ଭେକୁ ସୁପ୍ରିମକୋର୍ଟ 26 ଜୁଲାଇ ସଂଧ୍ୟା 5 ଟା ପର୍ଯ୍ୟନ୍ତ ରୋକ ଲଗାଇ ଦେଇଛନ୍ତି । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ଅବଧି ମଧ୍ୟରେ ଆହ୍ଲାବାଦ ହାଇକୋର୍ଟଙ୍କ କୌଣସି ନିର୍ଦ୍ଦେଶନାମା ମଧ୍ୟ ଲାଗୁ ହେବ ନାହିଁ । ଏହି ସମୟ ମଧ୍ୟରେ ମସଜିଦ ସମିତି ବାରଣାସୀ ଜିଲ୍ଲା କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବ । କିନ୍ତୁ ମଜାଦାର କଥା ହେଉଛି, ରାମ ମନ୍ଦିର ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ସମେତ ସୁପ୍ରିମକୋର୍ଟ ଏଏସଆଇ ସର୍ଭେକୁ ହିଁ ଗ୍ରହଣ କରି ରାୟ ଶୁଣାଇଥିଲେ । ଆସନ୍ତୁ ଜାଣିବା କଣ ଥିଲା ରାମ ମନ୍ଦିର ମାମଲାରେ ଏଏସଆଇର ସର୍ଭେ ।
ଏହାବି ପଢନ୍ତୁ- Gyanvapi Row: ASI ସର୍ଭେ ଉପରେ ସୁପ୍ରିମକୋର୍ଟଙ୍କ ରୋକ, ହାଇକୋର୍ଟ ଯିବ ମୁସଲିମ କମିଟି
ଅଯୋଧ୍ୟା ରାମ ମନ୍ଦିର ମାମଲାରେ ସୁପ୍ରିମକୋର୍ଟ ନିଜର ଐତିହାସିକ ରାୟ ଦେବାବେଳେ ଏଏସଆଇ ସର୍ଭେକୁ ଉଲ୍ଲେଖ କରିବା ସହ ସର୍ଭେ ରିପୋର୍ଟକୁ ଗ୍ରହଣ କରିଥିଲେ । ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ଖଣ୍ଡପୀଠ 9 ନଭେମ୍ବର 2019 ରେ ଦେଇଥିବା ଐତିହାସିକ ରାୟରେ 2003 ଏଏସଆଇ ସର୍ଭେ ରିପୋର୍ଟକୁ ଗ୍ରହଣ କରିବା ସହ ଏହାର ସାହାଯ୍ୟ ନେଇଥିଲେ । ଏଏସଆଇର 2023 ସର୍ଭେ ରିପୋର୍ଟରେ କୁହାଯାଇଥିଲା କି ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣର କୌଣସି ପ୍ରମାଣ ନାହିଁ। କିନ୍ତୁ ମସଜିଦ କୌଣସି ଖାଲି ସ୍ଥାନରେ ନିର୍ମାଣ ହୋଇନଥିଲା। ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଏସଆଇ ସେତେବେଳେ ଅୟୋଧ୍ୟାର ବିବାଦିତ ସ୍ଥଳରେ ଖନନ କରିଥିଲା । ଏହି ଖନନରେ ଏଏସଆଇକୁ ମନ୍ଦିରର ଅବଶେଷ ବା ଅଂଶ ମିଳିଥିବା ରିପୋର୍ଟ ଦାଖଲ ହୋଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିଥିଲେ । ଆଉ ଏହି ରିପୋର୍ଟ ଅଯୋଧ୍ୟା ମାମଲାରେ ବଡ ଭୂମିକା ତୁଳାଇଥିଲା ।
ଅଯୋଧ୍ୟାରେ କେବେ ଏଏସଆଇ ଖନନ କରିଥିଲା:- ଏଏସଆଇର 9 ଜଣିଆ ବିଶେଷଜ୍ଞ ଟିମ 1976ରୁ 1977 ପର୍ଯ୍ୟନ୍ତ ଅଯୋଧ୍ୟାର ବିବାଦିତ ସ୍ଥଳରେ ଖନନ କରିଥିଲା । ଏହି ଖନନ ପ୍ରକ୍ରିୟାରେ ମାଟି ତଳୁ କିଛି ଟାରେକୋଟା ମୂର୍ତ୍ତୀ, ସହ ଦେବାଦେବୀଙ୍କ ପ୍ରତିମୂର୍ତ୍ତୀ, କିଛି ଭଙ୍ଗା ପଶୁଙ୍କ ପ୍ରତିମୂର୍ତ୍ତୀ ମିଳିଥିଲା । ଯାହା କୌଣସି ମନ୍ଦିରର ଭଗ୍ନାଂଶ ବୋଲି ଏଏସଆଇ ରିପୋର୍ଟରେ ଉଲ୍ଲେଖ କରିଥିଲା ।
କିଏ କିଏ ଏଏସଆଇ ଟିମରେ ସାମିଲ ଥିଲେ:- ଏଏସଆଇର 9 ଜଣିଆ ବିଶେଷଜ୍ଞ ଟିମରେ 5 ଜଣ ପ୍ରତ୍ନତତ୍ତ୍ବବିତ ଥିଲେ । ଏମାନଙ୍କ ମଧ୍ୟରେ ପ୍ରଫେସର ବିବି ଲାଲ, ଡା.କେପି ନୋଟିୟାଲ, ଏସକେ ଶ୍ରୀବାସ୍ତବ, ଆରକେ ଚତୁର୍ବେଦୀ, କେଏମ ଆସ୍ଥାନା । ସେହିପରି ମହଦାବା ଏନ କଟ୍ଟୀ, ଏଲଏମ ୱହଲ, ଏମଏସ ମଣି ମଧ୍ୟ ଏଏସଆଇର ବିଭିନ୍ନ ପ୍ରାନ୍ତୀୟ ଅଧିକାରୀ ଥିଲେ । ଏହି ଟିମରେ ୟୁପି ସରକାରଙ୍କ ପ୍ରତିନିଧିଙ୍କ ସମେତ, 12 ଜଣ ଏଏସଆଇର ଛାତ୍ର ମଧ୍ୟ ଅଭ୍ୟାସ ପାଇଁ ସାମିଲ ଥିଲେ । ଏତତ ବ୍ୟତୀତ ଏକମାତ୍ର ମୁସଲିମ ଛାତ୍ର ଭାବେ କେକେ ମହମ୍ମଦ ଥିଲେ । ଏହି ଖନନରେ ଏଏସଆଇକୁ ଟେରାକୋଟା ମୂର୍ତ୍ତୀ, ମନ୍ଦିରର କିଛି ଅବଶେଷ, ସହ ଦେବାଦେବୀଙ୍କ ଭଙ୍ଗା ମୂର୍ତ୍ତୀ ମିଳିଥିଲା । ଉଦ୍ଧାର ହୋଇଥିବା ଅବଶେଷ 12 ବି ଶତାବ୍ଦୀର ହୋଇଥିବା ଏଏସଆଇ କହିଥିଲା । ଆଉ ଏହା କୌଣସି ମସଜିଦ ନୁହେଁ ଏହା କୌଣସି ଏକ ହିନ୍ଦୁ ମନ୍ଦିରର ଅବଶେଷ ବୋଲି 2003ରେ ରିପୋର୍ଟ ଦିଆଯାଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିଥିଲେ ।
ରାମ ମନ୍ଦିର ମାମଲାରେ କଣ ଥିଲା ସର୍ବୋଚ୍ଚ ଅଦାଲତଙ୍କ ରାୟ:-9 ନଭେମ୍ବର 2019ରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଅଯୋଧ୍ୟା ରାମ ମନ୍ଦିର ମାମଲାରେ ଐତିହାସିକ ଓ ଚୂଡାନ୍ତ ରାୟ ଦେଇଥିଲେ । ସର୍ବୋଚ୍ଚ ଅଦାଲତ ରାୟ ଦେଇ କହିଥିଲେ ‘‘ ବାବ୍ରୀ ମସଜିଦ ତଳେ ଏକ ବୃହତ ଢାଞ୍ଚଥିଲା । ଯାହା କୌଣସି ହିନ୍ଦୁ ମନ୍ଦିରର ଅବଶେଷ ହୋଇଥାଇ ପାରେ । ମସଜିଦ କୌଣସି ଖାଲି ସ୍ଥାନରେ ନିର୍ମାଣ ହୋଇନଥିଲା । ଏହା କୌଣସି ଏକ ଢାଞ୍ଚା ଉପରେ ନିର୍ମାଣ ହୋଇଥିଲା । ଖନନରୁ ମିଳିଥିବା ପ୍ରମାଣ ଆଧାରରେ ଏହି ବିବାଦିତ ସ୍ଥଳକୁ ହିନ୍ଦୁ ପକ୍ଷଙ୍କୁ ପ୍ରଦାନ କରାଯିବ । ଏହି ଜମିରେ ରାମ ମନ୍ଦିର ନିର୍ମାଣ ହେବ । ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ଏକ ଟ୍ରଷ୍ଟ ଗଠନ କରିବେ । ଏହି ଟ୍ରଷ୍ଟ ରାମ ମନ୍ଦିର ନିର୍ମାଣ ଠାରୁ ଆରମ୍ଭ କରି ଦୈନନ୍ଦିନ ପରିଚାଳନା କରିବ । ଏଥିସହ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟା ଜିଲ୍ଲାର କୌଣସି ଏକ ସ୍ଥାନରେ ପ୍ରତିପକ୍ଷ(ମୁସଲିମ ସମ୍ପ୍ରଦାୟଙ୍କୁ) ରାଜ୍ୟ ସରକାର 5 ଏକର ଜମି ପ୍ରଦାନ କରିବେ ।
ବର୍ତ୍ତମାନ ଜ୍ଞାନବାପୀ ମସଜିଦକୁ ନେଇ ବିବାଦ କୋର୍ଟରେ ଚାଲିଥିବା ବେଳେ, ବାରଣାସୀ ଜିଲ୍ଲା କୋର୍ଟ ଏଏସଆଇକୁ ମସଜିଦ ପରିସର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଚର୍ଚ୍ଚା ହେଉଛି ଏଏସଆଇ ସର୍ଭେରୁ ଜ୍ଞାନବାପୀର ସତ ସାମନାକୁ ଆସିବ । ଯଦିଓ 2 ଦିନ ପାଇଁ ସର୍ଭେ ଉପରେ ସର୍ବୋଚ୍ଚ ଅଦାଲତ ରୋକ ଲଗାଇଛନ୍ତି, କିନ୍ତୁ ଆଗକୁ କଣ ଆସୁଛି ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଏବେ ତାରି ଉପରେ ନଜର ।