ଇମ୍ଫାଲ:କିଛି ଦିନର ନୀରବତା ପରେ ପୁଣି ମଣିପୁରରେ ଶୁଭିଲା ଗୁଳି ଶବ୍ଦ । ମଣିପୁରର ସୀମାବର୍ତ୍ତୀ ଜିଲ୍ଲା ତେଙ୍ଗନୋଉପଲର ମୋରେହ ସହରରେ ଗୁଳିକାଣ୍ଡ ଘଟିଛି । ଶନିବାର ଦିନ ବନ୍ଧୁକଧାରୀ ଆତତାୟୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିକାଣ୍ଡ ହୋଇଛି । ଏହି ଆକ୍ରମଣରେ ଜଣେ ପୋଲିସ କମାଣ୍ଡୋ ଆହତ ହୋଇଥିବା ନେଇ ପୋଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ମୋରେହଠାରେ ପୋଲିସ କମାଣ୍ଡୋ ଗାଡି ଯାଉଥିବା ବେଳେ ସମୟରେ ଅଜଣା ବନ୍ଧୁକଧାରୀ ପକ୍ଷରୁ ଗାଡି ଉପରକୁ ଗୁଳିମାଡ କରାଯାଇଥିଲା । ଯେଉଁଥିରେ ଜଣେ କମାଣ୍ଡୋ ଆହତ ହୋଇଛନ୍ତି । ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ଏହି ଘଟଣାକୁ ସ୍ପଷ୍ଟ କରାଯାଇଛି । କୁହାଯାଇଛି, "ଇମ୍ଫାଲ- ମୋରେହ ରାଜରାସ୍ତାରେ ଚାହନୌ ଗାଁ ନିକଟରେ ଏହି ଆକ୍ରମଣ କରାଯାଇଥିଲା । ଜଣେ କମାଣ୍ଡୋଙ୍କ ଦେହରେ ବୋମା ବାଜିବା ଯୋଗୁଁ ଆହତ ହୋଇଛନ୍ତି ।
ଏହାମଧ୍ୟ ପଢନ୍ତୁ..ମନେ ରହିବ ‘ମଣିପୁର’, ସ୍ତବ୍ଦ ହୋଇଯାଇଥିଲା ସମଗ୍ର ଦେଶ
ଆହତ କମାଣ୍ଡୋଙ୍କୁ ଉଦ୍ଧାର କରାଯାଇ ଆସାମ ରାଇଫଲ ଶିବିରକୁ ନିଆଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଆହତ କମାଣ୍ଡୋ ପୋଖାଲୁଙ୍ଗର ଫାଇବ ଆଇଆରବି ଅଫିସର ଅଟନ୍ତି । ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, "ତେଙ୍ଗନୋଉପଲ ଜିଲ୍ଲାରେ ଚେକିଂ ସମୟରେ ଏହି ଆକ୍ରମଣ ହୋଇଥିଲା । କିଛି ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କ ଗାଡି ଉପରକୁ ଗୁଳିମାଡ କରିବା ସହ ବୋମାବର୍ଷଣ କରିଥିଲେ । 2ଟି ବୋମା ମାଡ ହେବା ସହ ପାଖାପାଖି 350ରୁ 400 ଗୁଳିମାଡ ହୋଇଥିବା ଜଣାପଡିଛି ।'' ସୂତ୍ର ଅନୁଯାୟୀ, ଏବେ ମଧ୍ୟ ମଣିପୁରର ବିଭିନ୍ନ ସ୍ଥାନରେ ଗୁଳିମାଡ କରାଯାଉଛି । ନ୍ୟୁ ମୋରେହର ପ୍ରବେଶ ପଥ ଓ ଏମ ଚାହନୌ ଗାଁ ନିକଟରେ ଆଖିବୁଜା ଗୁଳିମାଡ କରାଯାଉଥିବା ସୂଚନା ରହିଛି । ଗତ 2 ଦିନ ତଳେ ମୋରେହଠାରେ 2ଟି ଘରକୁ ନିଆଁରେ ପୋଡି ଦିଆଯାଇଥିଲା ।
ଏହାମଧ୍ୟ ପଢନ୍ତୁ... କ୍ରମଶଃ ଶାନ୍ତ ହେଉଛି ମଣିପୁର ସ୍ଥିତି: ମୁଖ୍ୟମନ୍ତ୍ରୀ ବିରେନ ସିଂ
ଅନ୍ୟପଟେ ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଆହୁରf କଡାକଡି କରାଯାଇଛି । ସେହି ଅଞ୍ଚଳରେ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବା ସହ ସର୍ଚ୍ଚ ଅପରେସନ କଡାକଡି କରାଯାଇଛି । ତେବେ 2023 ମେ' ମାସରୁ ଆରମ୍ଭ ହୋଇଥିବା ମଣିପୁର ହିଂସା ଥମିବାର ନାଁ ଧରୁନି । କଡା ସୁରକ୍ଷା ବଳୟ ମଧ୍ୟରେ ବି ଆକ୍ରମଣ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ