ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକାଡେମିକ ଡିଗ୍ରୀ ପ୍ରସଙ୍ଗରେ ଗୁଜରାଟ ବିଶ୍ୱବିଦ୍ୟାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛି । ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମେତ ଦଳର ରାଜ୍ୟସଭା ସାଂସଦ ସଂଞ୍ଜୟ ସିଂଙ୍କୁ ମଧ୍ୟ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି । ଭାରତୀୟ ଦଣ୍ଡ ସଂହିତା ଧାରା 500 (ମାନହାନୀ) ଅଧୀନରେ ମାମଲା ରୁଜୁ କରି ଅତିରିକ୍ତ ମୁଖ୍ୟ ଅହମ୍ମଦାବାଦ ମହାନଗର ନିଗମ ମାଜିଷ୍ଟ୍ରେଟ ଜୟଶଭାଇ ଚୈଟିଆଙ୍କ କୋର୍ଟ ମେ 23ରେ ଦୁଇ AAP ନେତାଙ୍କୁ ହାଜର ହେବା ପାଇଁ ସମନ ଜାରି କରିଛନ୍ତି ।
ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାରର ଏହି ମାମଲା ଦାଏର କରିଛନ୍ତି । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଂଞ୍ଜୟ ସିଂଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ମଧ୍ୟ ଏହି ଦୁଇ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକାଡେମିକ ଡିଗ୍ରୀ ପ୍ରସଙ୍ଗରେ ପ୍ରେସମିଟ କରି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହାନି ହେବା ପରି ମିଥ୍ୟା ଅଭିଯୋଗ ଆଣିଥିଲେ । କୋର୍ଟ ମଧ୍ୟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଉଭୟ ନେତାଙ୍କୁ ମେ’ 23 ରେ ହାଜର ହେବା ପାଇଁ ସମନ ଜାରି କରିଛନ୍ତି ।