ନୂଆଦିଲ୍ଲୀ:ଜୟପୁରର ବିମାନବନ୍ଦରରୁ ଟିଏମସି ମୁଖପାତ୍ରଙ୍କୁ ଗିରଫ କଲା ଗୁଜୁରାଟ ପୋଲିସ(Gujarat Police arrested TMC Spokesperson Saket Gokhale) । ଟିଏମସିର ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରାଯାଇଛି । ତେବେ ରାଜନୈତିକ ପ୍ରତିଶୋଧ ଭାବନା ନେଇ ପୋଲିସ ତାଙ୍କୁ ଗିରଫ କରିଥିବା ଅଭିଯୋଗ କରିଛି ଟିଏମସି । କେଉଁ ପରିସ୍ଥିତିରେ ସାକେତ ଗୋଖଲେଙ୍କୁ ଗିରଫ କରାଯାଇଥିଲା ସେ ବିଷୟରେ ଟ୍ବିଟ କରି ବିସ୍ତୃତ ସୂଚନା ଦେଇଛନ୍ତି ଟିଏମସି ରାଜ୍ୟସଭା ସାଂସଦ ଡେରେକ ଓବ୍ରାଇନ୍( TMC Rajya Sabha MP Derek OBrien)। ଏପଟେ ଦିନିକିଆ ରିମାଣ୍ଡରେ ନେଲା ଗୁଜୁରାଟ ପୋଲିସ ।
ଡେରେକ ଓବ୍ରାଇନ ଟ୍ବିଟ କରି କହିଛନ୍ତି ଯେ, ''ସୋମବାର ଦିନ ଗୋଖଲେ ରାତି ୯ଟା ସମୟରେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ଜୟପୁରକୁ ଯାତ୍ରା ଆରମ୍ଭ କରିଥିଲେ। ଯେତେବେଳେ ସେ ଜୟପୁର ବିମାନବନ୍ଦରରେ ଅବତରଣ କରିଥିଲେ ସେତେବେଳେ ଗୁଜୁରାଟ ପୋଲିସ ତାଙ୍କୁ ଉଠାଇ ନେଇଥିଲା । ଏହାପରେ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଗୋଖଲେ ତାଙ୍କ ମାଆଙ୍କ ସହ ଫୋନରେ ବାର୍ତ୍ତାଳାପ କରି ପୋଲିସ ତାଙ୍କୁ ଅହମ୍ମଦାବାଦକୁ ନେଉଛି ଏବଂ ଅପରାହ୍ନ ସୁଦ୍ଧା ସେ ଅହମ୍ମଦାବାଦରେ ପହଞ୍ଚିବେ ବୋଲି ଜଣାଇଥିଲେ । ପୋଲିସ ଗୋଖେଲଙ୍କୁ ଦୁଇ ମିନିଟର ଫୋନରେ କଥା ହେବାକୁ ଦେଇଥିଲା ଏବଂ ତା’ପରେ ତାଙ୍କ ଫୋନ୍ ଏବଂ ସମସ୍ତ ଜିନିଷପତ୍ର ତାଙ୍କ ଠାରୁ ଛଡାଇ ନେଇଥିଲା ବୋଲି କହିଛନ୍ତି ଟିଏମସି ସାଂସଦ'' ।