ଗାନ୍ଧୀନଗର:ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ଓ ଗର୍ଭପାତ କରିବା ପାଇଁ ଅନୁମତି ମାଗି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣେ ପୀଡିତାଙ୍କୁ ଗର୍ଭପାତ ଅନୁମତି ଦେଇଛନ୍ତି ଗୁଜୁରାଟ କୋର୍ଟ । ଏହି ପୀଡିତା ଜଣକ ଏବେ 20 ସପ୍ତାହର ଗର୍ଭବତୀ ଅଛନ୍ତି । ସେ ନିଜେ ଗର୍ଭପାତ ଅନୁମତି ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ କୋର୍ଟ ମେଡିକାଲ ବୋର୍ଡର ରିପୋର୍ଟ ଯାଞ୍ଚ କରିବା ପରେ ଦୀର୍ଘ 20 ସପ୍ତାହ ପରେ ମଧ୍ୟ ଗର୍ଭପାତ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । 28 ତାରିଖ ମଧ୍ୟରେ ଗର୍ଭପାତ କରିବାକୁ କୋର୍ଟ ପୀଡିତାଙ୍କୁ କହିଛନ୍ତି ।
ସୂଚନା ଅନୁସାରେ, ଗୁଜୁରାଟ ସୁରେନ୍ଦ୍ର ନଗରର ଏହି 22 ବର୍ଷୀୟ ପୀଡିତା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିଲେ । ଜଣେ ପଡୋଶୀ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିବାକୁ ଧମକ ଦେଇଥିଲା । ପରେ ସେ ଗର୍ଭବତୀ ହେବା ପରେ ଦୁଷ୍କର୍ମ ସମ୍ପର୍କରେ ତାଙ୍କ ପରିବାର ସଦସ୍ୟ ଜାଣିବାକୁ ପାଇଥିଲେ । ଏନେଇ ତାଙ୍କ ପରିବାର ସଦସ୍ୟ ପୋଲିସରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ଅଭିଯୁକ୍ତ ପକ୍ସୋ ଆକ୍ଟରେ ଗିରଫ ହୋଇସାରିଛି । ହେଲେ ଏହି ଘଟଣା ପୀଡିତାଙ୍କ ମାନସିକ ଓ ଶାରୀରିକ ଅବସ୍ଥା ଉପରେ ଗଭୀର ଚାପ ଓ କୁପ୍ରଭାବ ସୃଷ୍ଟି କରିଛି । ତେଣୁ ସେ ଗର୍ଭପାତ କରି ପୂର୍ବାବସ୍ଥାକୁ ଫେରିବାକୁ ଚାହୁଁଥିବା ନେଇ ଗୁଜୁରାଟ ହଇକୋର୍ଟରେ ପିଟିସନ ଦାଏର କରିଥିଲେ ।