ଗାନ୍ଧୀନଗର:ମାନହାନୀ ମାମଲାରେ ତଳ କୋର୍ଟଙ୍କ ଦୋଷୀ ସାବ୍ୟସ୍ତ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିବା ରାହୁଲ ଗାନ୍ଧୀଙ୍କୁ ସେଠାରୁ ମଧ୍ୟ ନିରାଶ ହେବାକୁ ପଡିଛି । ମାମଲାରେ କୌଣସି ପ୍ରକାର ଅନ୍ତରୀଣ ଆଶ୍ବସ୍ତି ପ୍ରଦାନ କରିବାକୁ କୋର୍ଟ ମନା କରିବା ସହ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ।
‘ମୋଦି ସାଙ୍ଗିଆ’ ଅପରାଧିକ ମାନହାନୀ ମାମଲାରେ ସୁରଟ ଜିଲ୍ଲା କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଯାହାକୁ ରାହୁଲ ପ୍ରଥମେ ସୁରଟ ଶେସନ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହେଲେ ସେଠାରୁ ନିରାଶ ହେବା ପରେ ରାହୁଲ ଗୁଜୁରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି ଏହି ମାମଲାର ଶୁଣାଣି ହୋଇଥିଲା । ରାହୁଲଙ୍କ ଦଣ୍ଡାଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବା ପାଇଁ କୋର୍ଟ ମନା କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି । ସୁରଟ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ 25 ଏପ୍ରିଲରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ ।
ମାର୍ଚ୍ଚ 23 ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ ଜିଲ୍ଲା କୋର୍ଟଙ୍କ ଦ୍ୱାରା ବହୁଚର୍ଚ୍ଚିତ ‘ମୋଦି ସାଙ୍ଗିଆ’ ମାନହାନୀ ମାମଲାରେ 2 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ତେବେ ଦଣ୍ଡାଦେଶ ପରେ ତୁରନ୍ତ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରାଯାଇଥିବାରୁ ତାଙ୍କୁ ଜେଲ ଯିବାକୁ ପଡିନଥିଲା । କିନ୍ତୁ ତୁରନ୍ତ ଦଣ୍ଡାଦେଶ ମିଳିବା ପରେ ତାଙ୍କ ଲୋକସଭା ସଦସ୍ୟତାକୁ ରଦ୍ଦ କରି ଦିଆଯାଇଥିଲା । ନିଜ ଦଣ୍ଡାଦେଶ ମାମଲାରେ ରାହୁଲ ଗାନ୍ଧୀ ପ୍ରଥମେ ସୁରଟ ଶେସନ କୋର୍ଟରେ ଆବେଦନ କରିଥିଲେ । ହେଲେ ଶେସନ କୋର୍ଟ ତଳ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇବା ପାଇଁ ମନା କରିଦେବା ସହ ପିଟିସନକୁ ଖାରଜ କରିଥିଲେ ।