ଗାନ୍ଧୀନଗର:ଗୁଜୁରାଟର ଜୁନାଗଡ଼ରେ ପ୍ରବଳ ବର୍ଷା ଫଳରେ ଆଜି ଏକ ଦୁଇ ମହଲା ଅଟ୍ଟାଳିକା ଭୁଶୁଡ଼ି ପଡିଛି । ଏଥିରେ ବହୁଲୋକ କୋଠାର ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଛି । ଆହତଙ୍କ ସଂଖ୍ୟା ସମ୍ପର୍କରେ ଜଣାପଡିନଥିଲେ ସୁଦ୍ଧା ଗୋଟିଏ ପରିବାର 3 ଜଣଙ୍କ ସମେତ ମୋଟ 4 ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଟ୍ଟାଳିକାରେ ଏକାଧିକ ପରିବାର ବସବାସ କରୁଥିବା ସହ କିଛି ଦୋକାନ ମଧ୍ୟ ଥିବା ସୂଚନା ମିଳିଛି । ଫାଏର ଟିମ୍, NDRF ଟିମ୍, ପୋଲିସ ସହ ମେଡିକାଲ ଟିମ୍ ଏହି ଉଦ୍ଧାର ଅପରେସନରେ ସାମିଲ ହୋଇଛନ୍ତି ।
ବିଲ୍ଡିଂ ଭଗ୍ନାବଶେଷ ତଳୁ ଉଦ୍ଧାରକାରୀ ଦଳ ଗୋଟିଏ ପରିବାରର ବାପା ଓ ଦୁଇ ପୁଅଙ୍କ ମୃତଦେହ ଉଦ୍ଧାର କରିଛି । ଏହାସହ ଜଣେ ଶ୍ରମିକର ମୃତଦେହ ମଧ୍ୟ ଉଦ୍ଧାର ହୋଇଛି । ଜୁନାଗଡ ସମେତ ଗୁଜୁରାଟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ପରେ ସଙ୍ଗୀନ ସ୍ଥିତି ସୃଷ୍ଟି ହୋଇଥିଲା । ପ୍ରବଳ ବର୍ଷାଜଳରେ ସହରର ବିଲ୍ଡିଂଗୁଡିକର ଗ୍ରାଉଣ୍ଡ ଫ୍ଲୋର ମଧ୍ୟ ବୁଡ଼ି ରହିଥିବା ଦେଖିବାକୁ ମିଳିଥିଲା । ଆଜି ପୂର୍ବାହ୍ନରେ କାଦିଓ୍ବାଦ ଏରିଆରେ ଥିବା ଏହି ଦୁଇ ମହଲା କୋଠାଟି ଭୁଶୁଡି ପଡିଥିଲା । ସୂଚନା ପାଇଁ ସ୍ଥାନୀୟ ଅଗ୍ନିଶମ ଟିମ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଓ ପୋଲିସ ମେଡିକାଲ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଏହା ମଧ୍ୟ ପଢନ୍ତୁ:-Gujarat : ପ୍ରବଳ ବର୍ଷା ପରେ କୃତ୍ରିମ ବନ୍ୟା, ଭାସିଗଲେ ଗାଈ ମଇଁଷି ଓ ଗାଡି ମୋଟର