ନୂଆଦିଲ୍ଲୀ:ଗୁଜୁରାଟ ମୋର୍ବିରେ ଝୁଲାପୋଲ ଭୁଶୁଡି 134 ଜଣ ପ୍ରାଣ ହରାଇବା ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି । ତେବେ ଅଘଟଣ ନେଇ ଅବ୍ୟବସ୍ଥାକୁ ଦାୟୀ କରିବା ସହ ନ୍ୟାୟିକ ତଦନ୍ତ ଦାବି କରିଛି କଂଗ୍ରେସ (Cong demands judicial probe on bridge collapse) । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ବାବଧାନରେ ଏହି ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ସେହିପରି ଏହି ଘଟଣାରେ ପ୍ରଭାବିତଙ୍କୁ ସରକାର ତୁରନ୍ତ ଆର୍ଥିକ ଓ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଦାବି କରିଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ଖଡଗେ ମୃତକଙ୍କ ପରିବାରରୁ ସମବେଦନା ଜଣାଇବା ସହ କହିଛନ୍ତି, ‘ମାତ୍ର 5 ଦିନ ପୂର୍ବେ ଏହି ପୋଲ ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିବା ବେଳେ, କାହିଁକି ଏତେ ସଂଖ୍ୟକ ଲୋକଙ୍କୁ ଏକକାଳୀନ ପୋଲରେ ପ୍ରବେଶ କରିବାକୁ ଅନୁମତି ଦିଆଗଲା । ଏହାର ତଦନ୍ତ କାରଯିବାର ଆବଶ୍ୟକତା ରହିଛି । ସର୍ବୋଚ୍ଚ କୋର୍ଟ କିମ୍ବା ହାଇକୋର୍ଟର ବିଚାରପତିଙ୍କ ନେତୃତ୍ବରେ ଏହି ଘଟଣାର ନ୍ୟାୟିକ ତଦନ୍ତ କରିବା ନେଇ ସରକାର ନିର୍ଦ୍ଦେଶ ଦିଅନ୍ତୁ (Congress on Gujarat bridge collapse)।
ବ୍ରିଟିଶ ଅମଳରେ ନିର୍ମାଣ ହୋଇଥିବା ଏହି ପୁରାତନ ବ୍ରିଜ ମରାମତି ପାଇଁ ଗତ କିଛି ମାସ ଧରି ବନ୍ଦ ରହିଥିଲା । ତେବେ ମରାମତି ସରିବା ପରେ ଗତ 5ଦିନ ପୂର୍ବରୁ ଏହା ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା । ତେବେ ଗତକାଲି ସଂଧ୍ୟାରେ ପୋଲରେ ମାତ୍ରାଧିକ ଭିଡ ଦେଖିବାକୁ ମିଳିଥିଲା । ପୋଲ ଉପରେ ଏକକାଳୀନ ପ୍ରାୟ 4ଶହ ଯାତ୍ରୀ ଚଢିଥିବା ବେଳେ ପୋଲଟି ଭୁଶୁଡି ପଡିଥିଲା । ଶତାଧିକ ଲୋକ ନଦୀଗର୍ଭକୁ ଖସି ପଡିଥିଲେ । ଉଦ୍ଧାର ପାଇଁ ଆର୍ତ୍ତ ଚିତ୍କାର ମଧ୍ୟ କରୁଥିବାର ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଥିଲା । ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର ଅପରେସନ ଆରମ୍ଭ କରାଯାଇଥିଲେ ସୁଦ୍ଧା ସମସ୍ତଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା 134 ହୋଇଥିଲା ବେଳେ ଅନ୍ୟ କିଛି ଆହତ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।