ଗାନ୍ଧୀନଗର: ଗୁଜୁରାଟ ପୋରବନ୍ଦରରୁ 5 ଜଣ ସନ୍ଦିଗ୍ଧ ISIS ଆତଙ୍କବାଦୀଙ୍କୁ ରାଜ୍ୟ ଆତଙ୍କବାଦ ନିରୋଧୀ ଦଳ (ATS) ଗିରଫ କରିବାରେ ସଫଳ ହୋଇଛି । ଏହି ସନ୍ଦିଗ୍ଧ ଆତଙ୍କୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛି । କୁଖ୍ୟାତ ଆତଙ୍କୀ ସଂଗଠନ ISISର ଏକ ଶାଖା ସଂଗଠନ ISKP ପାଇଁ ଏମାନେ କାର୍ଯ୍ୟ କରୁଥିବା ଏଟିଏସ ନିକଟରେ ସୂଚନା ଥିଲା । ଏମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ଆଜି ପୋରବନ୍ଦରର ଏକାଧିକ ସ୍ଥାନରେ ଚଢାଉ କରି ଏମାନଙ୍କୁ ଗିରଫ କରିଛି ଏଟିଏସ ଟିମ୍ । ଏମାନେ ରହୁଥିବା ସ୍ଥାନରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି ।
ଆଜି କାର୍ଯ୍ୟନୁଷ୍ଠାନ ନେଇ ଗୁଜୁରାଟ ପୋଲିସ ମହାନିର୍ଦ୍ଦେଶକ ବିକାଶ ସହାୟ ପ୍ରେସମିଟ କରି ସୂଚନା ଦେଇ କହିଛନ୍ତି, ଏମାନେ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତ ଥିବା ତଥ୍ୟ ମିଳିଥିଲା । ଏମାନଙ୍କ ମଧ୍ୟରୁ 3 ଜଣ ISKP ସଦସ୍ୟ ଗୁଜୁରାଟ ଉପକୂଳ ଦେଇ ଜଳପଥରେ ଭାରତ ଛାଡି ଚାଲିଯିବାକୁ ଉଦ୍ୟମ କରୁଥିବା ମଧ୍ୟ ସୂଚନା ମିଳିଥିଲା । ଏଟିଏସ ଏକ ମିଶନ ମୋଡରେ ଏମାନଙ୍କୁ ଗିରଫ କରିବାରେ ସଫଲ ହୋଇଛି । ସନ୍ଦିଗ୍ଧ ଆତଙ୍କୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ସମସ୍ତଙ୍କୁ ଗିରଫ ପରେ ଜେରା କରାଯାଉଛି । ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଅନୁସରଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।