ଗାନ୍ଧୀନଗର:ଗୁଜୁରାଟରେ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭି ଖମ୍ବାଲିଆ ବିଧାନସଭା ଆସନରୁ ନିର୍ବାଚନ ଲଢିବେ । ଦେବଭୂମୀ ଦ୍ବାରକାର ଖମ୍ବାଲିଆ ଆସନରୁ ସେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ଦଳ ମୁଖ୍ୟ କେଜ୍ରିଓ୍ବାଲ ନିଜେ ଘୋଷଣା କରିଛନ୍ତି । କେଜ୍ରିଓ୍ବାଲ ଏସମ୍ପର୍କରେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଆଜି ଏହି ଘୋଷଣା ଅବସରରେ କେଜ୍ରିଓ୍ବାଲ କରିଥିବା ଟ୍ବିଟରେ ଲେଖିଛନ୍ତି,‘‘ଗଡଭି ବହୁ ବର୍ଷ ଧରି ଗୁଜୁରାଟର କୃଷକ, ବେରୋଜଗାର ଯୁବପିଢି, ମହିଳା ଓ ବ୍ୟବସାୟୀଙ୍କ ପାଇଁ ସ୍ବର ଉଠାଇ ଆସିଛନ୍ତି । ସେ ଏହି ବିଧାନସଭା ନିର୍ବାଚନରେ ଭଗବାନ କୃଷ୍ଣଙ୍କ ପବିତ୍ର ଭୂମି ଦ୍ବାରକାର ଖମ୍ବାଲିଆ ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଗୁଜୁରାଟ ଚଳିତ ଥର ଏକ ଭିନ୍ନ ମୁଖ୍ୟମନ୍ତ୍ରୀ ପାଇବାକୁ ଯାଉଛନ୍ତି ।’’
ତେବେ କେଜ୍ରିଓ୍ବାଲଙ୍କ ଘୋଷଣା ପରେ ଗଡଭି ମଧ୍ୟ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନାହାନ୍ତି । ଧନ୍ୟବାଦ ଦେବା ଅବସରରେ ଗଡଭି ଟ୍ବିଟ କରି ଲେଖିଛନ୍ତି, ‘‘ରାଜ୍ୟବାସୀ ମୋ ଉପରେ ରଖିଥିବା ବିଶ୍ବାସ ପାଇଁ ମୁଁ କୃତଜ୍ଞ । ମୁଁ ନିଶ୍ଚିତ ଯେ, ମୁଁ ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଗୁଜୁରାଟବାସୀଙ୍କ ସେବା କରିବାକୁ ପ୍ରସ୍ତୁତ ।’’