ଓଡିଶା

odisha

ଏମିତି ବି ଆସେ ମୃତ୍ୟୁ: ବିବାହର କିଛି ସମୟ ପୂର୍ବରୁ ହାର୍ଟ ଆଟାକ୍, ବାହାବେଦୀରୁ ଶ୍ମଶାନ ବଦଳିଲା ଠିକଣା

By

Published : Jun 1, 2023, 3:37 PM IST

Updated : Jun 1, 2023, 5:03 PM IST

ବିବାହର କିଛି ସମୟ ପୂର୍ବରୁ ହୃଦଘାତରେ ରାଜକୁମାର ନାମକ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଯାହାକୁ ନେଇ ଉତ୍ସବର ମାହୋଲ ପାଲଟି ଯାଇଥିଲା ଶୋକାକୁଳ ପରିବେଶ । ଏଭଳି ଦୁଃଖଦ ଖବର ଆସିଛି ଉତ୍ତରପ୍ରଦେଶରୁ । ଅଧିକ ପଢନ୍ତୁ

ବିବାହର କିଛି ସମୟ ପୂର୍ବରୁ ବରଙ୍କ ମୃତ୍ୟୁ
ବିବାହର କିଛି ସମୟ ପୂର୍ବରୁ ବରଙ୍କ ମୃତ୍ୟୁ

ଲକ୍ଷ୍ନୌ:ବିବାହ ପାଇଁ ସଜେଇ ହୋଇଥିଲା ମଣ୍ଡପ । କନ୍ୟା ମଧ୍ୟ ଚାହିଁ ରହିଥିଲେ ବରର ଆସିବା ବାଟକୁ। କନ୍ୟା ଘର ପକ୍ଷରୁ ବରକୁ ସ୍ବାଗତ କରିବାକୁ ସମସ୍ତ ବନ୍ଧୁ ପରିଜନ ପ୍ରସ୍ତୁତ ହୋଇରହିଥିଲେ । ବର ପକ୍ଷ ଲୋକେ ମଧ୍ୟ ଖୁବ ଉତ୍ସାହର ସହ ବାଣ ବାଜା ରୋଷଣୀରେ ବରଯାତ୍ରୀ ନେଇ ବାହାରିବା ପାଇଁ ପ୍ରସ୍ତୁତି କରିଥିଲେ । ହେଲେ ଭାଗ୍ୟର ବିଡମ୍ବନା କାରଣରୁ ଦଇବ ଦାଉ ସାଧିଲା ଭଳି ସବୁ ଖୁସି ଯେମିତି ପାଣି ଫୋଟକା ପରି ମିଳେଇ ଗଲା। ବରଯାତ୍ରୀ ନେଇ ବାହାରିବା ସମୟରେ ଅଚାନକ ବରର ଆସିଥିଲା ହାର୍ଟ ଆଟାକ୍। ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲ ନିଆଯାଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ବିବାହର କିଛି ସମୟ ପୂର୍ବରୁ ବରଙ୍କ ମୃତ୍ୟୁ

ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶ ଜରୱଲ ରୋଡ ଥାନା ଅଞ୍ଚଳରେ। ଉଭୟ ପରିବାରଙ୍କ ସବୁ ଖୁସି ଯେମିତି ଆଖି ପିଛୁଳାକେ ମଳିନ ପଡିଯାଇଛି । ପୁଅ ବାହାଘର ବରଯାତ୍ରୀରେ ସାମିଲ ହେବାକୁ ଆସିଥିବା ସମ୍ପର୍କୀୟଙ୍କୁ ଶେଷ ଯାତ୍ରାରେ ସାମିଲ ହେବାକୁ ପଡିଲା। କନ୍ଯା ଘର ପରିବର୍ତ୍ତେ ଶ୍ମଶାନକୁ ବଦଳିଗଲା ଠିକଣା। ମୃତକ ହେଉଛନ୍ତି ଅଟୱା ଅଞ୍ଚଳରେ ବାସ କରୁଥିବା ରାମଲାଲଙ୍କ ପୁ୍ଅ ରାଜକୁମାର।

ସୂଚନା ଅନୁସାରେ, 29 ମେ ଅର୍ଥାତ୍ ଗତ ସୋମବାର ଦିନ ରାଜକୁମାରଙ୍କ ବିବାହ ସ୍ଥିର ହୋଇଥିଲା । ସବୁ ପ୍ରସ୍ତୁତି ଶେଷ ହୋଇଥିବାବେଳେ ବରକୁ ପ୍ରସ୍ତୁତ କରାଯାଉଥିଲା। ସେପଟେ କନ୍ୟା ପ୍ରସ୍ତୁତ ଥିବାବେଳେ କନ୍ୟା ଘର ଲୋକେ ମଧ୍ୟ ବରକୁ ସ୍ବାଗତ କରିବାକୁ ଭବ୍ୟ ଆୟୋଜନ କରିଥିଲେ। କିଛି ସମୟ ପରେ ବାହାରିଥାନ୍ତେ ବରଯାତ୍ରୀ। ଆଉ ବରଯାତ୍ରୀ ଆସିବା ପରେ ପଡିଥାନ୍ତା ହାତଗଣ୍ଠି। କିନ୍ତୁ ହଠାତ୍ ରାଜକୁମାରଙ୍କୁ ହାର୍ଟ ଆଟାକ୍ ଆସିବାରୁ ତାଙ୍କୁ ମୁସ୍ତାଫାବାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ। ଯାହାକୁ ନେଇ ସବୁଠି ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ରାଜକୁମାରଙ୍କ ମୃତ୍ୟୁର ଖବର ପାଇବା ପରେ କନ୍ୟା ଘର ଲୋକଙ୍କ ହୋସ ଉଡିଗଲା। ସେମାନେ ସହଜରେ ଏପରି ଘଟଣାକୁ ସ୍ବୀକାର କରିପାରିଲେ ନାହିଁ। ବରର ଦେହାନ୍ତ ଖବର ଶୁଣି କନ୍ୟାଙ୍କ ପାଦ ତଳୁ ମାଟି ଖସିଗଲା ପରି ମନେ ହେଲା। ଉତ୍ସବର ମାହୋଲ ଶୋକାକୁଳ ପରିବେଶ ପାଲଟିଗଲା। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ଗ୍ରାମ ଶ୍ମଶାନରେ ରାଜକୁମାରଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରାଯାଇଥିବା ଜଣାପଡିଛି।

Last Updated : Jun 1, 2023, 5:03 PM IST

ABOUT THE AUTHOR

...view details