ରାୟପୁର:ନିଷ୍ଠୁର ନିୟତିର କ୍ରୁର ଉପହାସ । ସାଥୀ ହୋଇ ସଂସାର ଗଢ଼ିବା ଆଗରୁ ଉଠିଗଲା ସ୍ବାମୀର କୋକେଇ । ପୁଅର ବିବାହ ପାଇଁ ଯେଉଁ ଘରେ ଆନନ୍ଦ ଉଲ୍ଲାଶର ପରିବେଶ ଥଲା, ସେଠାରେ ଶୁଭୁଛି ମୃତ୍ୟୁ ପରର କାନ୍ଦ ବୋବାଳି । ବିବାହରେ ଉପହାର ଆକାରରେ ମିଳିଥିବା ହୋମ ଥିଏଟରକୁ ବିଦ୍ୟୁତ ସହ ସଂଯୋଗ କରିବା ବେଳେ ହଠାତ ବିସ୍ଫୋରଣ ଘଟି ବରର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ଛତିଶଗଡ଼ର କବର୍ଦ୍ଧା ଜିଲ୍ଲାରେ ଏଭଳି ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ।
କବର୍ଦ୍ଧା ଜିଲ୍ଲାର ରେଙ୍ଗାଖାର ଥାନା ଅନ୍ତର୍ଗତ ଚମାରି ଗ୍ରାମର ହେମେନ୍ଦ୍ର ମେରାବିଙ୍କ ଗତ ଦୁଇଦିନ ପୂର୍ବେ ବିବାହ ହୋଇଥିଲା । ବିବାହ ପାଇଁ ଘରେ ଆନନ୍ଦ ଉଲ୍ଲାସର ପରିବେଶ ଥିଲା । ପରିବାରରେ ସମସ୍ତେ ବସି ବିବାହରେ ମିଳିଥିବା ଉପହାର ଗୁଡ଼ିକଖୋଲି ଦେଖୁଥିଲେ । କିନ୍ତୁ କିଏ ଜାଣେ, ମୃତ୍ୟୁ କେତେବେଳେ ଆସେ । ଉପହାର ଆକାରରେ ମିଳିଥିବା ହୋମ ଥିଏଟରକୁ ବିଦ୍ୟୁତ ସହ ସଂଯୋଗ କରିବା ପାଇଁ ହେମେନ୍ଦ୍ର ସୁଇଚ ମାରିଥିଲେ । ଏହାପରେ ସବୁକିଛି ଶେଷ ହୋଇଗଲା । ସୁଇଚ ମାରିବା କ୍ଷଣି ହୋମ ଥିଏଟରଟି ବିସ୍ଫୋରଣ ଘଟିଥିଲା । ଫଳରେ ଘଟଣାସ୍ଥଳରେ ହେମେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ, ଘରର ଚାଳ ଉଡ଼ିଯାଇଥିଲା ।