ହାଇଦ୍ରାବାଦ:2016 ମସିହା.. ହାତରେ ଥିଲା ମାତ୍ର 4 ଆସନ । ଆଉ ଏବେ 2020 । ତଫାତ ମାତ୍ର 5 ବର୍ଷର । ଆଉ ଏହି 5 ବର୍ଷ ଭିତରେ 40ରୁ ଊର୍ଦ୍ଧ୍ବ ସିଟ୍ ଦଖଲ କରି ନବାବ ସହର ହାଇଦ୍ରାବାଦରେ ନିଜର ଦମ ଦେଖାଇଛି ବିଜେପି । ଦକ୍ଷିଣ ଭାରତୀୟ ରାଜ୍ୟ ତେଲେଙ୍ଗାନାରେ ଦିନେ ଖାତା ଖୋଲିପାରୁନଥିବା ବିଜେପି 4ରୁ 40 ପାର୍ର ଯାତ୍ରା ସହ ଶୂନ୍ୟରୁ ଶିଖରକୁ ଚଢିବାରେ ହୋଇଛି ସକ୍ଷମ ।
4 ଡିସେମ୍ବର 2020...ସର୍ବବୃହତ ନଗର ନିଗମ ହାଇଦ୍ରାବାଦର ହାଇଭୋଲ୍ଟେଜ ନିର୍ବାଚନ ଫଳାଫଳ ଉପରେ ରହିଥିଲା ସାରା ଦେଶର ନଜର । ପ୍ରାଥମିକ ଟ୍ରେଣ୍ଡରେ ବହୁମତ ପାର କରିଯାଇଥିଲା ବିଜେପି । ହେଲେ ଧିରେ ଧିରେ ଭାରି ପଡିଥିଲା ରାଜ୍ୟରେ କ୍ଷମତାସୀନ ଟିଆରଏସ । ଆଉ ଅସଦୁଦ୍ଦିନ ଓୱେସୀଙ୍କ AIMIM ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିଥିଲା କଡା ଟକ୍କର । ଟ୍ରେଣ୍ଡରେ ବଡ ଓଲଟପାଲଟ ପରେ ଜଦିଓ ଟିଆରଏସ ଆଗେଇ ଯିବାରେ ସଫଳ ହୋଇଥିଲା, ତଥାପି କେସିଆର ଗଡରେ ବାଜିଗର ହୋଇ ଉଦ୍ଭା ହୋଇଛି ବିଜେପି । ନିର୍ବାଚନ ତ କେବଳ ମାତ୍ର ଗୋଟିଏ ଗନର ନିଗମର ଥିଲା, ହେଲେ ରୋମାଞ୍ଚକ କୌଣସି ଲୋକସଭା ଓ ବିଧାନସଭା ନିର୍ବାଚନ ଠୁ କମ ନଥିଲା । ଯେତେବେଳେ ବିଜେପି ନିଜ ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କଲା, ସେତେବେଳେ ସାଥ୍ ଦେବାକୁ ଲାଗିଲା ଫଳାଫଳ । ଆଉ ଦକ୍ଷିଣ ଭାରତର ଦୁର୍ଗରେ ଦ୍ବିତୀୟ ଦ୍ବାର ଖୋଲିବା ନେଇ କାମ କରିଗଲା ବିଜେପିର ରଣନୀତି ।
ଗ୍ରେଟର ହାଇଦ୍ରାବାଦ ନଗର ନିଗମର ଭୌଗଳିକ ରାଜନୀତିର ସ୍ଥିତିକୁ ଦେଖିଲେ ଏହା 4 ଜିଲ୍ଲାକୁ ବ୍ୟାପିଛି ଏହି ନଗରନିଗମ । ଯେଉଁଥିରେ ହାଇଦ୍ରାବାଦ ସହର ସମେତ ସାମିଲ ରହିଛି ମେଡଚଲ ମଲକଜଗିରି, ସଙ୍ଗାରେଡ୍ଡୀ ଓ ରଙ୍ଗାରେଡ୍ଡୀ ଜିଲ୍ଲା । ସମ୍ପୂର୍ଣ୍ଣ ଅଞ୍ଚଳ ଅଧିନରେ 23 ବିଧାସଭା କ୍ଷେତ୍ର ଆସୁଥିବା ବେଳେ ସାମିଲ ରହିଛି ତେଲେଙ୍ଗାନାର 5 ଲୋକସଭା ଆସନ ।