ଥିରୁଅନନ୍ତପୁରମ:ସୁନା ଗହଣା ଲୋଭରେ ସୈତାନ ସାଜିଲା ନାତି । ନିଜ ବୃଦ୍ଧ ଜେଜେବାପା ଓ ଜେଜେମା’ଙ୍କ ଜୀବନ ନେବାକୁ ମଧ୍ୟ ପଛାଇଲାନାହିଁ । ସୁନା ଗହଣା ଲୁଟିବା ପାଇଁ ଉଭୟଙ୍କୁ ହତ୍ୟା କଲା । ହତ୍ୟାକାଣ୍ଡ ଭିଆଇବା ସହ ଗହଣା ଧରି ବିକ୍ରି କରିବା ପାଇଁ କର୍ଣ୍ଣାଟକର ମାଙ୍ଗାଲୋରରେ ପହଞ୍ଚିଥିବା ବେଳେ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ 27 ବର୍ଷୀୟ ଅହମ୍ମଦ ଅକ୍କାଲ ଓ ସେ କେରଳର ଥ୍ରୀସୁର ଭାଇଲାଥୁର ପାନାନଗିଟେ ହାଉସ ଅଞ୍ଚଳର ବାସିନ୍ଦା ବୋଲି ପୋଲିସ ସ୍ପଷ୍ଟ କରିଛି । ତେବେ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ 23 ତାରିଖରେ ଘଟାଇବା ପରେ କେରଳରୁ ଫେରାର ହୋଇଯାଇଥିଲା । ଗତକାଲି ରାତିରେ ସେ ମାଙ୍ଗାଲୋରରେ ପହଞ୍ଚିଥିଲା । ଆଜି ସୁନା ଅଲଙ୍କାର ବିକ୍ରି ଉଦ୍ୟମ ବେଳେ ତାକୁ କେରଳରୁ ଆସିଥିବା ପୋଲିସ ଟିମ୍ ଗିରଫ କରିଛି ।
ଅଭିଯୁକ୍ତ ଠାରୁ 2ଟି ସୁନା ଚେନ୍, ଗୋଟିଏ ଛୋଟ ସୁନା ପଦକ ସହିତ 3 ସେଟ୍ ସୁନା କାନଫୁଲ, 5ଟି ସୁନା ମୁଦି, 2ଟି ସୁନା ବ୍ରେସଲେଟ୍ ଜବତ ହୋଇଛି । ସେହିପରି ତା ନିକଟରୁ ତା’ର ଏକାଧିକ ପରିଚୟପତ୍ର ଓ ପାସପୋର୍ଟ ମଧ୍ୟ ପୋଲିସ ଜବତ କରିଛି । ଏହି ସୁନା ଗହଣାକୁ ବିକ୍ରି କରିବା ପରେ ଟଙ୍କା ନେଇ ଅଭିଯୁକ୍ତ ବିଦେଶ ଫେରାର ହେବା ପାଇଁ ଯୋଜନା ରଖିଥିବା ପୋଲିସ ସନ୍ଦେହ କରୁଛି ।
ହତ୍ୟାକାଣ୍ଡ ସୂଚନା ମିଳିବା ପରେ ସ୍ଥାନୀୟ ଥ୍ରୀସୁର ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଫେରାର ନାତିକୁ ପୋଲିସ ଖୋଜିବା ଆରମ୍ଭ କରିଥିଲା । ହେଲେ ତା’ ସମ୍ପର୍କରେ କୌଣସି ତଥ୍ୟ ମିଳିନଥିଲା । ଗତକାଲି (ସୋମବାର) ମାଙ୍ଗାଲୋର ସେ ସନ୍ଦେହଜନକ ଭାବେ ବୁଲୁଥିବା ଖବର ମିଳିଥିଲା । ମାଙ୍ଗାଲୋର ଉତ୍ତର ପୋଲିସ ସହାୟତାରେ ଅଭିଯୁକ୍ତକୁ ଗିରଫ କରିଥିଲା କେରଳ ପୋଲିସ । ଉଭୟ ରାଜ୍ୟର ପୋଲିସ ଏକ ମିଳିତ ଅପରେସନରେ ଅଭିଯୁକ୍ତକୁ ଗିରଫ ପରେ ତା ଠାରୁ ଲୁଟାଯାଇଥିବା ସମସ୍ତ ଅଳଙ୍କାର ଜବତ କରାଯାଇଥିଲା ।