ନୂଆଦିଲ୍ଲୀ:ଜାତିଗତ ଜନଗଣନା ପ୍ରସଙ୍ଗରେ ବିହାର ନୀତିଶ କୁମାର ସରକାରଙ୍କୁ ସର୍ବୋଚ୍ଚ କୋର୍ଟରୁ ମଧ୍ୟ ବଡ ଝଟକା ଲାଗିଛି । ଏବେ ବିହାର ସରକାର ଆରମ୍ଭ କରିଥିବା ଏହି ଜାତିଭିତ୍ତିକ ଜନଗଣନା ହୋଇପାରିବ ନାହିଁ । ପୂର୍ବରୁ ପାଟନା ହାଇକୋର୍ଟ ଏହି ଜନଗଣନା ଉପରେ ଲଗାଇଥିବା ଅନ୍ତରୀଣ ସ୍ଥଗିତାଦେଶ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଫଳରେ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିବା ନୀତିଶ ସରକାରଙ୍କୁ ସେଠାରୁ ମଧ୍ୟ ନିରାଶ ହେବାକୁ ପଡିଛି । ଏହି ନିର୍ଦ୍ଦେଶ ସହ ନୀତିଶଙ୍କ ବହୁପ୍ରତୀକ୍ଷିତ ଜାତିଭିତ୍ତିକ ଜନଗଣନାର କାର୍ଯ୍ୟକାରିତା ଅନିର୍ଦ୍ଦିଷ୍ଟତା ମଧ୍ଯକୁ ଠେଲି ହୋଇଯାଇଛି ।
ନିତୀଶ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ପାଟନା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା । ହାଇକୋର୍ଟ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଥିଲେ । ନୀତିଶ ସରକାର ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଆଜି ସର୍ବୋଚ୍ଚ କୋର୍ଟ ତଳ କୋର୍ଟଙ୍କ ଅନ୍ତରୀଣ ସ୍ଥଗିତାଦେଶ ଉପରେ ରୋକ ଲଗାଇବା ପାଇଁ ମନା କରିଛନ୍ତି । ପାଟନା ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 3 ତାରିଖକୁ ସ୍ଥିର କରିଛନ୍ତି । ତଳକୋର୍ଟ ଦ୍ବାରା ନିର୍ଦ୍ଧାରିତ ଆଗାମୀ ଶୁଣାଣିରେ ସରକାର ତାଙ୍କ ପକ୍ଷ ରଖନ୍ତୁ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି ।