ନୂଆଦିଲ୍ଲୀ: ସାରାଦେଶ ଏବେ ମହାମାରୀ କୋରୋନା କବଳରେ । କୋରୋନା ପାଇଁ ସରକାର ଲାଗୁ କରିଥିବା ଲକଡାଉନ ଓ ସଟଡାଉନ ପାଇଁ ସମସ୍ତଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏପରି ସ୍ଥିତିରେ କିନ୍ନରଙ୍କର ଜୀବନ ଜୀବିକାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଏନେଇ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ତୁରନ୍ତ ପ୍ରତ୍ୟେକ କିନ୍ନରଙ୍କୁ 1500 ଟଙ୍କା ସହାୟତା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ କହିଛି ଯେ, ଏହି ଆର୍ଥିକ ସହାୟତା କିନ୍ନର ସମ୍ପ୍ରଦାୟକୁ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ । ତେବେ କିନ୍ନରଙ୍କ ପାଇଁ କାର୍ଯ୍ୟ କରୁଥିବା ଏନଜିଓ ତଥା ସମ୍ପ୍ରଦାୟ ଭିତ୍ତିକ ସଂଗଠନ ଏହି ପଦକ୍ଷେପ ବିଷୟରେ ସଚେତନତା କରିବାକୁ ମନ୍ତ୍ରଣାଳୟ କହିଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ଯେକୌଣସି କିନ୍ନର ବ୍ୟକ୍ତି କିମ୍ବା ସମ୍ପ୍ରଦାୟ-ଆଧାରିତ ସଂଗଠନ, ସେମାନଙ୍କ ଆଧାର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବର ପରି ମୌଳିକ ବିବରଣୀ ପ୍ରଦାନ କରିବା ପରେ ଆର୍ଥିକ ସହାୟତା ପାଇଁ ଆବେଦନ କରିପାରିବେ । ସେମାନଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ, ଯାହା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ଡିଫେନ୍ସ ୱେବସାଇଟରେ ଉପଲବ୍ଧ ।