ନୂଆଦିଲ୍ଲୀ:ଦୁଇ ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା ଓ ନାଗାଲାଣ୍ଡରେ ସରକାର ଗଠନ ହେବାକୁ ଯାଉଛି । ଆଜି(ରବିବାର) ଏହି ପ୍ରସଙ୍ଗରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି । ଦିଲ୍ଲୀରେ ଶାହଙ୍କ ବାସଭବନରେ ଉଭୟଙ୍କ ସମତେ ଜେ.ପି ନଡ୍ଡା ଓ ଅନ୍ୟ କିଛି ବରିଷ୍ଠ ନେତାଙ୍କ ମଧ୍ୟରେ ରୁଦ୍ଧଦ୍ବାର ଆଲୋଚନା ହୋଇଛି । ଏଥିରେ ଉଭୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ଓ କ୍ୟାବିନେଟର ରୂପରେଖ ନେଇ ଆଲୋଚନା ହୋଇଥିବା ସୂତ୍ରରୁ ସୂଚନା ମିଳିଛି ।
ଏହି ବୈଠକରେ ଶାହଙ୍କ ସହ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ବ୍ୟତୀତ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିପ୍ୟୁ ରିଓଙ୍କ ସମେତ ଅନ୍ୟ କିଛି ବରିଷ୍ଠ ବିଜେପି ନେତାଙ୍କ ମଧ୍ୟ ସାମିଲ ଥିଲେ । ଏହି ବୈଠକରେ ଉଭୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ସହ କ୍ୟାବିନେଟରେ ସହଯୋଗୀ ଦଳଙ୍କୁ ମନ୍ତ୍ରୀପଦ ବଣ୍ଟନ ଓ ରୂପରେଖ ନେଇ ଆଲୋଚନା ହୋଇଛି ।
ତ୍ରିପୁରାରେ ଦଳ ଭଲ ପ୍ରଦର୍ଶନ କରିଛି । ଗତବର୍ଷ ବିପ୍ଳବ ଦେବଙ୍କ ପରିବର୍ତ୍ତେ ମାଣିକ ସାହଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ଚଳିତ ଫଳାଫଳ ପରେ ମଧ୍ୟ ନବ ନିର୍ବାଚିତ ବିଧାୟକଙ୍କର ଏକ ଗୋଷ୍ଠୀ ମାଣିକ ସାହଙ୍କୁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ରହିଛନ୍ତି । ସେହିପରି ଉତ୍ତର-ପୂର୍ବରେ ଦଳର ଅନ୍ୟଜଣେ ବରିଷ୍ଠ ଚେହେରା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକଙ୍କ ନାମ ମଧ୍ୟ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ତାଲିକାରେ ରହିଛି । ତ୍ରିପୁରାରେ ଦଳ ସରକାର ଗଠନ କରିବାକୁ ଯାଉଥିବା ବେଳେ ନାଗାଲାଣ୍ଡରେ ମୁଖ୍ୟମନ୍ତ୍ରୀ ନିପ୍ୟୁ ରିଓଙ୍କ ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ପ୍ରଗତିଶୀଳ ପାର୍ଟି (NDPP) ସହ ସରକାର ଗଠନ କରିବ । ହେଲେ ନାଗାଲାଣ୍ଡରେ ନିପ୍ୟୁ ରିଓ ମୁଖ୍ୟମନ୍ତ୍ରୀ ଭାବେ ପଦ ବଜାୟ ରଖିବାର ସର୍ବାଧିକ ସମ୍ଭାବନା ରହିଛି । ସେହିପରି ତୃତୀୟ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ଦଳ ସେତେଟା ସଫଳତା ପାଇନଥିଲେ ସୁଦ୍ଧା ସରକାରୀ ମେଣ୍ଟର ଭାଗିଦାରୀ ଦଳ ଭାବେ କନରାଡ ସାଙ୍ଗମା ସରକାରରେ ରହିବ ।