ନୂଆଦିଲ୍ଲୀ:ଗ୍ୟାସ ଓ ତୈଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ମଧ୍ୟରେ ନୟାନ୍ତ ହେଉଛନ୍ତି ସାଧାରଣ ଖାଉଟି । ଯାହାକୁ ନେଇ ପୁଣି ଥରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବୁଧବାର ପାର୍ଟି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦେଶର ଜିଡିପି ଅଭିବୃଦ୍ଧି ନେଇ କେନ୍ଦ୍ର ସରକାର ବିବୃତ୍ତିକୁ ସମାଲୋଚନା କରିଛନ୍ତି ।
ରାହୁଲ କହିଛନ୍ତି, କେନ୍ଦ୍ର ସରକାର କହୁଛନ୍ତି ଦେଶର GDP ବଢୁଛି । ସରକାରଙ୍କ ଏହି କଥାରୁ ମତେ ଅନୁଭବ ହେଲା କି ତାଙ୍କ କହିବାର ତାତ୍ପର୍ଯ୍ୟ କଣ । ସରକାରଙ୍କ GDP ଅର୍ଥ ହେଉଛି gas, diesel, petrol । କାରଣ ଦେଶରେ ଇନ୍ଧନର ଉଚ୍ଚ ଦରରୁ କେନ୍ଦ୍ର ଏବେ ସୁଦ୍ଧା ପ୍ରାୟ ୨୩ ଲକ୍ଷ କୋଟି ଟଙ୍କା କମାଇଛି ବୋଲି ରାହୁଲ କହିଛନ୍ତି ।
'୨୦୧୪ରେ ନରେନ୍ଦ୍ର ମୋଦି କହିଲେ ଯେ ଦେଶରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଉଛି । ୨୦୧୪ରେ ଯେତେବେଳେ UPA କ୍ଷମତାଚ୍ୟୁତ ହେଲା ସେହି ସମୟରେ ଦେଶରେ ଗ୍ୟାସ ସିଲିଣ୍ଡର ଦର ୪୧୦ ଟଙ୍କା ଥିଲା । ହେଲେ ଆଜି ଏହାର ଦାମ୍ ୮୮୫ ଟଙ୍କା । ସେହି ସମୟରେ ପେଟ୍ରୋଲ ଲିଟର ପିଛା ୭୧. ୫ ଟଙ୍କାରେ ମିଳୁଥିଲା । ହେଲେ ଆଜିର ମୋଦି ସରକାରଙ୍କ ଶାସନ କାଳରେ ପେଟ୍ରୋଲ ଦର ପ୍ରାୟ ୪୨ ପ୍ରତିଶତ ବୃଦ୍ଧି ପାଇ ୧୦୦ ଟଙ୍କା ଉପରେ ରହିଛି । ସେହପରି ଡିଜେଲ ଦର ମଧ୍ୟ ୫୭ ଟଙ୍କାରୁ ୮୮ ଟଙ୍କାରେ ପହଞ୍ଚିଛି ।'