ନୂଆଦିଲ୍ଲୀ:କୋରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ସରକାର ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ସହିତ ସମସ୍ୟାକୁ ଅଣଦେଖା କରୁଛନ୍ତି ବୋଲି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ବୁଧବାର ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ମହାମାରୀ ସମ୍ପୂର୍ଣ୍ଣ ଭାବରେ ଦେଶରୁ ଯାଇନଥିବା ବେଳେ କେନ୍ଦ୍ର ସରକାର ଏଭଳି କରୁଥିବା ସେ ଟ୍ବିଟ ମାଧ୍ୟମରେ କହିଛନ୍ତି ।
ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲରେ ମହାମାରୀର ନୂଆ ଷ୍ଟ୍ରେନ ଭାରତରେ ପ୍ରବେଶ କରିଥିବା ଖବର ପାଇବା ପରେ ରାହୁଲ ଏଭଳି ମନ୍ତବ୍ୟ ଦେଇଛନ୍ତି । ଦେଶରେ ପ୍ରଥମ କରି ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରୁ SARS-CoV-2 ଷ୍ଟ୍ରେନ ଦ୍ବାରା 4 ଜଣ ନାଗରିକ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି । ତେବେ ଏହି ଖବର ପ୍ରକାଶ ପାଇବା ପରେ ରାହୁଲ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ଭାରତ ସରକାର କୋଭିଡ-19 ମହାମାରୀକୁ ନେଇ ଅଧିକ ଆତ୍ମବିଶ୍ବାସୀ ହେଉଥିବା ବେଳେ ସମସ୍ୟାକୁ ଅଣଦେଖା କରୁଛନ୍ତି ।