ମୁମ୍ବାଇ:ମହାରାଷ୍ଟ୍ରରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ଆସନ୍ତାକାଲି(ଗୁରୁବାର) ବହୁମତର ପ୍ରମାଣ ଦେବ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ସରକାର । ଗୃହରେ ଫ୍ଲୋର ଟେଷ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିୟାରୀ । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ଦାବି ଜଣାଇଥିଲେ । ଆଜି ଔପଚାରିକ ଭାବେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଚିଠି ଲେଖି ଆସନ୍ତାକାଲି ଗୃହରେ ସଂଖ୍ୟା ବହୁମତର ପ୍ରମାଣ ଦେବାକୁ କହିଛନ୍ତି ।
ଶିବସେନାର 38 ବିଦ୍ରୋହୀ ବିଧାୟକ ମହାବିକାଶ ଅଘାଡି ମେଣ୍ଟ (MVA)ରୁ ସମର୍ଥନ ପ୍ରତ୍ୟାହାର କରିସାରିଥିବା ବେଳେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ସରକାର ବର୍ତ୍ତମାନ ବହୁମତ ହରାଇ ସାରିଥିବା ଗତକାଲି ରାଜ୍ୟପାଳଙ୍କୁ ଅବଗତ କରିଥିଲା ବିରୋଧୀ ବିଜେପି । ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ବରେ ବରିଷ୍ଠ ବିଜେପି ନେତାଙ୍କ ଏକ ପ୍ରତିନିଧି ଟିମ ଗତକାଲି ରାଜ୍ୟପାଳ କୋଶିୟାରୀଙ୍କୁ ଭେଟି ଏପ୍ରକାର ଦାବି ଜଣାଇଥିଲେ ।
ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଏପରି ସଙ୍କଟ ସମୟରେ ବିରୋଧୀ ଦଳ ପକ୍ଷରୁ ସରକାରଙ୍କ ବହୁମତ ସଂଖ୍ୟା ଉପରେ ସନ୍ଦେହ ସୃଷ୍ଟି ହେଲେ, ରାଜ୍ୟପାଳଙ୍କ ଆହ୍ବାନ କ୍ରମେ ସରକାରଙ୍କୁ ଗୃହରେ ସଂଖ୍ୟା ବହୁମତର ପ୍ରମାଣ ଦେବାକୁ ହୋଇଥାଏ । ଗୃହରେ ବହୁମତ ଦର୍ଶାଇବାରେ ବିଫଳ ହେଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ସହ ସରକାର ଭଙ୍ଗ ହୋଇଥାଏ । ଏହା ସହ ରାଜ୍ୟପାଳ ବିରୋଧୀଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ ମଧ୍ୟ କରିଥାନ୍ତି ।