ଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀର ଏବେ ସର୍ବେସର୍ବା ହେଲେ ଉପରାଜ୍ୟପାଳ । କାର୍ଯ୍ୟକାରୀ ହେଲା ‘ଦ ଗଭର୍ଣ୍ଣମେଣ୍ଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧିତ) ଆଇନ 2021’ । ଏଣିକି ଦିଲ୍ଲୀରେ ସରକାରର ଅର୍ଥ ଉପରାଜ୍ୟପାଳ । ଆଜି ଏସମ୍ପର୍କରେ ଜାରି ହୋଇଛି ବିଜ୍ଞପ୍ତି ।
କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ‘ଦ ଗଭର୍ଣ୍ଣମେଣ୍ଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ’ (ସଂଶୋଧିତ) ଆଇନ 2021 ଗତକାଲି ( 27 ଏପ୍ରିଲ) ରୁ କାର୍ଯ୍ୟକାରୀ ହୋଇଥିବା ଅଧିସୂଚନା ରହିଛି । ଫଳରେ ଏଣିକି ନିର୍ବାଚିତ ସରକାର ନିଜ ଇଛାରେ କୌଣସି ନିଷ୍ପତି ନେଇପାରିବେ ନାହିଁ କି କାର୍ଯ୍ୟକାରୀ କରିପାରିବେ ନାହିଁ । ଯେକୌଣସି ନିଷ୍ପତି ନେବା ପୂର୍ବରୁ (ଏଲଜି) ଉପ-ରାଜ୍ୟପାଳଙ୍କ ଅନୁମତି ବାଧ୍ୟତାମୂଳକ ।
କଣ ରହିଛି ଆଇନ?
ଦ ଗଭର୍ଣ୍ଣମେଣ୍ଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ’ (ସଂଶୋଧିତ) ଆଇନ 2021 ଅନୁସାରେ, 1991 ସେକସନ 21 ରେ ଏକ ଅନୁଚ୍ଛେଦ ଯୋଡାଯାଇଛି। ନିୟମ ଅନୁସାରେ ଦିଲ୍ଲୀ ବିଧାନସଭାରେ ଯେକୌଣସି ବିଲ ପାରିତ ହେବା ପରେ ଉପ- ରାଜ୍ୟପାଳଙ୍କ ନିକଟ ପଠାଯିବ । ଉପ-ରାଜ୍ୟପାଳ ହିଁ ନିଷ୍ପତି ନେବେ ବିଲକୁ ନେଇ କଣ ହେବ । ସେହିପରି ଏବେ ଦିଲ୍ଲୀ ସରକାରଙ୍କୁ ବିଧେୟକ ପ୍ରସ୍ତାବ ଅତିକମରେ 15 ଦିନ ପୂର୍ବରୁ ଓ ପ୍ରଶାସନିକ ପ୍ରସ୍ତାବ ଅତିକମରେ 7 ଦିନ ପୂର୍ବରୁ ଉପ-ରାଜ୍ୟପାଳଙ୍କୁ ପାଖକୁ ପଠାଇବାକୁ ପଡିବ ।