ଓଡିଶା

odisha

ETV Bharat / bharat

Parliament Special Session: 17ରେ ସର୍ବଦଳୀୟ ବୈଠକ ଡାକିଲା କେନ୍ଦ୍ର - ସଂସଦ ସ୍ବତନ୍ତ୍ର ଅଧିବେଶନ

18ରୁ ସଂସଦ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ 17ରେ ସର୍ବଦଳୀୟ ବୈଠକ ଡାକିଲା କେନ୍ଦ୍ର । ଏବେ ପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ହୋଇନି ଏଜେଣ୍ଡା । ଥମୁନି ଚର୍ଚ୍ଚା । ଅଧିକ ପଢନ୍ତୁ

Parliament special session: ସର୍ବଦଳୀୟ ବୈଠକ ଡାକିଲା କେନ୍ଦ୍ର
Parliament special session: ସର୍ବଦଳୀୟ ବୈଠକ ଡାକିଲା କେନ୍ଦ୍ର

By ETV Bharat Odisha Team

Published : Sep 13, 2023, 10:51 PM IST

Updated : Sep 14, 2023, 7:13 AM IST

ନୂଆଦିଲ୍ଲୀ:18 ତାରିଖରୁ ଆରମ୍ଭ ହେବ ବହୁଚର୍ଚ୍ଚିତ ସଂସଦର 5ଦିନିଆ ସ୍ବତନ୍ତ୍ର ଅଧିବେଶନ । ଏଥିପାଇଁ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ଅଧିବେଶନ ଆରମ୍ଭ ପୂର୍ବ ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ଏବେ ପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସମ୍ପର୍କରେ ସମସ୍ତେ ଅନ୍ଧାରରେ ରହିଛନ୍ତି । କାରଣ ସରକାର ଏହି ଅଧିବେଶନ ଘୋଷଣା କରିବା ବେଳେ ଫଳପ୍ରଦ ଆଲୋଚନା କଥା କହିଥିବା ବେଳେ କୌଣସି ନିର୍ଦ୍ଦିଷ୍ଟ ଏଜେଣ୍ଡା ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି । ତେବେ ଅଧିବେଶନ ଆରମ୍ଭ ପୂର୍ବଦିନ 17 ତାରିଖ ସର୍ବଦଳୀୟ ବୈଠକ ହେବ ।

ହେବାକୁ ଥିବା ଏହି ସର୍ବଦଳୀୟ ବୈଠକରେ ବିରୋଧୀମାନେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ଦାବି କରିବେ । ସରକାର ମଧ୍ୟ 5 ଦିନିଆ ଅଧିବେଶନରେ ଶୃଙ୍ଖଳିତ ତଥା ସୁସ୍ଥ ଆଲୋଚନା ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିବେ । ଏନେଇ ଇ-ମେଲ୍‌ ମାଧ୍ୟମରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ରାଜନୈତିକ ଦଳକୁ ସୂଚୀତ କରିସାରିଛି ।

18 ତାରିଖରୁ 22 ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ସୁପାରିଶ କ୍ରମେ ଏହି ସ୍ବତନ୍ତ୍ର ଅଧିବେଶନ ଆହୁତ କରିଛନ୍ତି ରାଷ୍ଟ୍ରପତି । ପୂର୍ବରୁ କଂଗ୍ରେସ ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ସାରିଛନ୍ତି । ମୁଦ୍ରାସ୍ଫିତି, ଆଦାନୀ ଷ୍ଟକକ୍ରାସ୍‌ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟିର ଗଠନ ଆଦି ପ୍ରସଙ୍ଗରେ ବିରୋଧୀ ଗୃହରେ ଆଲୋଚନା ଚାହାନ୍ତି ବୋଲି ସୋନିଆ ଚିଠିରେ ଉଲ୍ଲେଖ କରିଥିଲେ । ସେହିପରି ଏହି ଅଧିବେଶନରେ ସର୍ବାଧିକ ଚର୍ଚ୍ଚାରେ ରହିଛି ସରକାରଙ୍କ ଆଗୁଆ ନିର୍ବାଚନ ଓ ଏକକ ନିର୍ବାଚନ ଆଭିମୁଖ୍ୟ ।

ଏହା ମଧ୍ୟ ପଢନ୍ତୁ:- Parliament Special Session: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ, 9ଟି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି

ଏନେଇ ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ କରିସାରିଛନ୍ତି । ଏହି କମିଟିରେ ଶାସକ, ବିରୋଧୀ ଓ କ୍ଷେତ୍ର ବିଶେଷଜ୍ଞଙ୍କୁ ମିଶାଇ ମୋଟ 8 ସଦସ୍ୟ ରହିଛନ୍ତି । କମିଟିରେ ସ୍ଥାନ ପାଇଥିବା ଏକମାତ୍ର କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କମିଟିରେ ଅଂଶଗ୍ରହଣ କରିବେ ନାହିଁ ବୋଲି କହିସାରିଛନ୍ତି । ତେଣୁ ଏହି ପ୍ରସଙ୍ଗ ମଧ୍ୟ ଅଧିବେଶନରେ ସରକାର ସାମ୍ନାକୁ ଆଣିପାରନ୍ତି । ଯାହାକୁ ନେଇ ଚର୍ଚ୍ଚା ଜାରି ରହିଛି । ଅଧିବେଶନର ଆରମ୍ଭ ହେଲେ ହିଁ ସମସ୍ତ ଚର୍ଚ୍ଚା ସ୍ପଷ୍ଟ ହୋଇପାରିବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 14, 2023, 7:13 AM IST

ABOUT THE AUTHOR

...view details