ପାଟନା:ବିହାର ଗୋପାଳଗଞ୍ଜରେ ନିଆରା ବିବାହ । ବିବାହ ପାଇଁ ୪ଘଣ୍ଟା ପାରୋଲରେ ଆସିଲେ ଯୁବକ । କୋର୍ଟ ଅନୁମତି ଦେବା ପରେ ଯୁବକ ଜେଲରୁ ବାହାରି ବିବାହ ମଣ୍ଡପରେ ବସିଛନ୍ତି । ଯୁବକ ଜଣକ ଯେଉଁ ଯୁବତୀଙ୍କୁ ବିବାହ କରିଛନ୍ତି ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ସେ ଜେଲ୍ରେ ସଜା କାଟୁଛନ୍ତି । ଜେଲ୍ରୁ ପାରୋଲରେ ଆସି ଉକ୍ତ ଯୁବତୀଙ୍କୁ ବିବାହ କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ୨୦ ଦିନ ତଳେ ଯୁବକ ଜଣକ ଜେଲ୍ ଯାଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୫ ତାରିଖରେ ଗୋପାଳଗଞ୍ଜରେ ଜଣେ ଯୁବତୀଙ୍କୁ ଯୁବକ ଜଣକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯୁବତୀଙ୍କ ରକ୍ତସ୍ରାବ ହେଉଥିବା ଦେଖି ଦୁଷ୍କର୍ମ ସନ୍ଦେହରେ ଡାକ୍ତର ପୋଲିସକୁ ଖବର ଦେଇଥିଲା । ଏହାପରେ ପୋଲିସ ଯୁବତୀଙ୍କ ବୟାନ ରେକର୍ଡ କରିବା ପରେ ଅଭିଯୁକ୍ତ ଯୁବକ ଜଣକୁ ଗିରଫ କରି ଜେଲରେ ଭର୍ତ୍ତି କରିଥିଲା । ତେବେ କୋର୍ଟରେ ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବ ବୋଲି କହିଥିଲା । ଏହାପରେ ୨ ପକ୍ଷର ସହମତି କ୍ରମେ ଉଭୟଙ୍କ ବିବାହ ହୋଇଛି । ବିବାହ ପାଇଁ କୋର୍ଟ ଯୁବକଙ୍କୁ ପାରୋଲରେ ଯିବା ଲାଗି ଅନୁମତି ଦେଇଥିଲେ । ଯୁବକ ଯୁବତୀ ଉଭୟ ଉଭୟଙ୍କୁ ପ୍ରେମ କରନ୍ତି, ଯୁବକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଭୁଲ୍ ବୋଲି କୁହାଯାଇଥିଲା ।