କୋଲକାତା:ତୃଣମୂଳ କଂଗ୍ରସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଜୀବନ ପ୍ରତି ବିପଦ ରହିଛି । ତାଙ୍କ ପଛରେ ଗୁଣ୍ଡା ଲଗାଯାଇଛି । ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ବାନାର୍ଜୀ ଏ ସମ୍ପର୍କରେ କୌଣସି ପ୍ରତ୍ୟକ୍ଷ ଇଙ୍ଗିତ କରିନଥିବାବେଳେ ବିଜେପି ପ୍ରତି ପରୋକ୍ଷ ଇଙ୍ଗିତ କରିଥିବା ଲକ୍ଷ୍ୟ କରାଯାଇଛି ।
ନିକଟରେ ଅଭିଷେକ ବାନାର୍ଜୀ ତ୍ରିପୁରା ଗସ୍ତରେ ଯାଉଥିବାବେଳେ ତାଙ୍କ ଗାଡି ଉପରେ ଆକ୍ରମଣ ହୋଇଥିଲା । ଏହି ପରିପ୍ରେକ୍ଷୀରେ ମମତା କହିଛନ୍ତି, ସେହି ଦିନ ଅଭିଷେକଙ୍କର ବୁଲେଟ ପ୍ରୁଫ୍ କାର ଥିଲା, ନଚେତ୍ ସେ ଗୁରୁତର ଆହତ ହୋଇଥାନ୍ତେ । ମମତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଅଭିଷେକ ବାନାର୍ଜୀଙ୍କ ବିମାନ ପାଖରେ ୪ରୁ ୫ ସିଟରେ ମଧ୍ୟ ଗୁଣ୍ଡାମାନଙ୍କୁ ପଠାଯାଇ ତାଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ତେଣୁ କୌଣସି ମୂହୂର୍ତ୍ତରେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ ।