ଓଡିଶା

odisha

ETV Bharat / bharat

ସିଗନାଲ ସମସ୍ୟା ପାଇଁ ମାଲଗାଡିକୁ ପିଟିଲା କରମଣ୍ଡଳ: ରେଲୱେ ବୋର୍ଡ

ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ । ସିଗନାଲ ସମସ୍ୟା ପାଇଁ ମାଲଗାଡିକୁ ଧକ୍କା ଦେଲା କରମଣ୍ଡଳ । ମୃତ୍ୟୁସଂଖ୍ୟା 288 ନୁହେଁ ବରଂ 275 । ଅଧିକ ପଢନ୍ତୁ

ସିଗନାଲ ସମସ୍ୟା ପାଇଁ ମାଲଗାଡିକୁ ଧକ୍କା ଦେଲା କରମଣ୍ଡଳ: ରେଲଓ୍ବେ ବୋର୍ଡ
ସିଗନାଲ ସମସ୍ୟା ପାଇଁ ମାଲଗାଡିକୁ ଧକ୍କା ଦେଲା କରମଣ୍ଡଳ: ରେଲଓ୍ବେ ବୋର୍ଡ

By

Published : Jun 4, 2023, 4:46 PM IST

ସିଗନାଲ ସମସ୍ୟା ପାଇଁ ମାଲଗାଡିକୁ ପିଟିଲା କରମଣ୍ଡଳ: ରେଲଓ୍ବେ ବୋର୍ଡ

ନୂଆଦିଲ୍ଲୀ:ବାଲେଶ୍ବର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ତଦନ୍ତର ଫଳାଫଳକୁ ନେଇ ସାରା ଦେଶ ଉତ୍କଣ୍ଠାରେ ରହିଛି । ତେବେ ଏହାର ପ୍ରାଥମିକ ତଦନ୍ତ ରିପୋର୍ଟ ସମ୍ପର୍କରେ ସମ୍ୟକ ସୂଚନା ମିଳିଛି । ଏହା ଲୋକ ପାଇଲଟଙ୍କ ତ୍ରୁଟି ଆଦୌ ନୁହେଁ । ଲୁପ ଲାଇନରେ ଏକ ମାଲଗାଡି ଛିଡା ହୋଇଥିଲା । ଏହା ଲାଇନଚ୍ୟୁତ ହୋଇନଥିଲା । ବରଂ ସିଗନାଲ ସମସ୍ୟା କାରଣରୁ କରମଣ୍ଡଳ ଏକ୍ସପ୍ରେସ ଟ୍ରାକ ଚେଞ୍ଜ କରିି ଉକ୍ତ ମାଲଗାଡିକୁ ଧକ୍କା ଦେଇଥିଲା । ଉଭୟ ମାଲଗାଡି ଓ କରମଣ୍ଡଳର ଏକାଧିକ ବଗି ପାର୍ଶ୍ବବର୍ତ୍ତୀ ଟ୍ରାକକୁ ଛିଟିକି ପଡିଥିଲେ । ତେଣୁ ଦ୍ବିତୀୟ ଦୁର୍ଘଟଣା ସ୍ବରୂପ ହାଓ୍ବଡା-ଯଶୋବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ କରମମଣ୍ଡଳର କ୍ଷତିଗ୍ରସ୍ତ ବଗିକୁ ଧକ୍କା ଦେଇଥିଲା ବୋଲି ରେଳବାଇ ବୋର୍ଡ ପକ୍ଷରୁ ଆୟୋଜିତ ପ୍ରେସମିଟରେ ସୂଚନା ଦିଆଯାଇଛି ।

ଆଜି (ରବିବାର) ରାଜଧାନୀ ଦିଲ୍ଲୀରେ ଏକ ପ୍ରେସମିଟରେ ସୂଚନା ଦେଇ ରେଳବାଇ ବୋର୍ଡର ସଦସ୍ୟା ଜୟା ବର୍ମା ସିହ୍ନା କହିଛନ୍ତି, ଏହା ଏକ ସିଗନାଲ ସମସ୍ୟା ସମ୍ପର୍କିତ ତ୍ରୁଟି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରେଳବାଇ ସେଫ୍ଟି କମିଶନରଙ୍କ ନେତୃତ୍ବରେ ଏହାର ତଦନ୍ତ ଜାରି ରହିଛି । ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ପ୍ରାଥମିକ ରିପୋର୍ଟ ଅନୁସାରେ, ଛିଡା ହୋଇଥିବା ମାଲବାହୀ ଟ୍ରେନକୁ କରମଣ୍ଡଳ ପ୍ରଥମେ ଧକ୍କା ଦେଇଛି । ମାଲଗାଡିରେ ଲୁହାପଥର ବୋଝେଇ ହୋଇଥିଲା । କରମଣ୍ଡଳର ଘଣ୍ଟା ପ୍ରତି ବେଗ 128 କି.ମି ଥିଲା । ତେଣୁ କରମଣ୍ଡଳ ଏକ୍ସପ୍ରେସ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ସେହିପରି ଡାଉନ ଲାଇନରେ ଯଶୋବନ୍ତପୁର ହାଓ୍ବାଡା ଏକ୍ସପ୍ରେସ 126 କି.ମି ଘଣ୍ଟାପ୍ରତି ବେଗରେ ଆସୁଥିବା ବେଳେ କରମଣ୍ଡଳ କ୍ଷତିଗ୍ରସ୍ତ ବଗି ସହ ଧକ୍କା ଖାଇଥିଲା । ଫଳରେ ଏହାର 2 ବଗି ଲାଇନଚ୍ୟୁତ ହୋଇଥିଲା ।

ସେହିପରି ସେ ଦୁର୍ଘଟଣାକୁ ଆହୁରି ସ୍ପଷ୍ଟ କରି କହିଛନ୍ତି, ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିବା କରମଣ୍ଡଳ ଏକ୍ସପ୍ରେସର ଦୁଇ ଲୋକୋପାଇଲଟଙ୍କ ଠାରୁ ମଧ୍ୟ ସୂଚନା ସଂଗ୍ରହ କରାଯାଇଛି । ଗ୍ରୀନ ସିଗନାଲ ପାଇବା ପରେ କରମଣ୍ଡଳ ଏକ୍ସପ୍ରେସ ନିର୍ଦ୍ଧାରିତ ଗତିରେ ଆଗକୁ ବଢିଥିଲା । ଗାଡିଟି ମଧ୍ୟ ନିର୍ଦ୍ଧାରିତ ବେଗ ଠାରୁ ଅଧିକ ନଥିଲା କିମ୍ବା କୌଣସି ସିଗନାଲକୁ ଜମ୍ପ ମଧ୍ୟ କରିନଥିଲା । ତେବେ ପୁରା ଅଘଟଣ କେବଳ ସିଗନାଲ ତ୍ରୁଟି ଯୋଗୁଁ ହୋଇଛି । ଏହି ଘଟଣାରେ ଏବେ ତଦନ୍ତ ଜାରି ରହିଛି । ପୁନଃଉଦ୍ଧାର ସହ ତଦନ୍ତକୁ ସମାନ୍ତରଳ ଭାବେ ରେଳବାଇ ଜାରି ରଖିଥିବା ବୋର୍ଡ ସଦସ୍ୟା ସିହ୍ନା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details