ମୁମ୍ବାଇ:ପୁଣେର ଲୋହଗାଓଁ ବିମାନ ବନ୍ଦରରେ ସୁନା ଚୋରା ଚାଲାଣର ଏକ ବିରଳ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ରୀୟ କଷ୍ଟମ ବିଭାଗର ଅଧିକାରୀ ଜଣେ ମହିଳା ଯାତ୍ରୀଙ୍କ ଠାରୁ ପ୍ରାୟ 20ଲକ୍ଷ ଟଙ୍କା ମୂଲ୍ୟର ସୁନା ଜବତ କରିବାରେ ସଫଳ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ମହିଳାଜଣଙ୍କ ଗୁପ୍ତାଙ୍ଗରେ ସୁନା କ୍ୟାପସୁଲ ଲୁଚାଇ ରଖିଥିଲେ । ଯାହାକୁ ଉଦ୍ଧାର କରିବା ପାଇଁ କଷ୍ଟମ ବିଭାଗ ଅଧିକାରୀଙ୍କୁ ମେଡିକାଲ ଟିମର ସହୟତା ନେବାକୁ ପଡିଥିଲା । ଏହି 41 ବର୍ଷୀୟ ମହିଳାଜଣଙ୍କ ଦୁବାଇରୁ ପୁଣେ ଆସିଥିଲେ । ପୂର୍ବରୁ କଷ୍ଟମ ବିଭାଗ ନିକଟରେ ସୁନା ତସ୍କରୀ ନେଇ ସୂଚନା ଥିଲା । ତାଙ୍କୁ ପୂର୍ବ ପ୍ରସ୍ତୁତି ସହ କଷ୍ଟମ ଅଧିକାରୀମାନେ ଚିହ୍ନଟ କରିବା ସହ ଯାଞ୍ଚ କରିଥିଲେ । ମେଡିକାଲ ଟିମ ସହାୟତାରେ ସୁନା ଜବତ ହେବା ପରେ ତାଙ୍କୁ ଗିରଫ କରାଯାଇଥିବା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।
କଷ୍ଟମ ବିଭାଗର ସୂଚନା ଅନୁସାରେ, ଜବତ ହୋଇଥିବା ସୁନାର ପରିମାଣର ପ୍ରାୟ 20 ଲକ୍ଷରୁ ଅଧିକ ହେବ । ଏହି ସୁନାକୁ କ୍ୟାପସୁଲରେ ପାଉଡର ଆକାରରେ ଭର୍ତ୍ତି କରି ମହିଳାଜଣଙ୍କ ତାଙ୍କ ଗୁପ୍ତାଙ୍ଗରେ ଲୁଚାଇ ରଖିଥିଲେ । ବିମାନ ବନ୍ଦର ପରିସରରେ ତାଙ୍କ ବ୍ୟବହାରରେ ସନ୍ଦେହ ପ୍ରକାଶ ପାଇବାରୁ ତାଙ୍କୁ ପ୍ରଥମେ ଯାଞ୍ଚ କରାଯାଇଥିଲା । ସେ କିଛି ଲୁଚାଇ ରଖିଥିବା ସନ୍ଦେହ ବଢିବା ପରେ ମେଡିକାଲ ଟିମର ମଧ୍ୟ ସହାୟତା ନିଆଯାଇଥିଲା । ନିକଟବର୍ତ୍ତୀ ହସ୍ପିଟାଲ ନିଆଯାଇ ମହିଳାଙ୍କ ଏକ୍ସରେ କରାଯିବା ପରେ ତାଙ୍କ ପ୍ରାଉଭେଟ ପାର୍ଟରେ ସୁନା କ୍ୟାପସୁଲ ରଖାଯାଇଥିବା ସ୍ପଷ୍ଟ ହୋଇଥିଲା । ମେଡିକାଲ ଟିମର ସହାୟତାରେ ଏହି ସୁନା କ୍ୟାପସୁଲ ଜବତ ମଧ୍ୟ କରାଯାଇଛି ।