ମୁମ୍ବାଇ:ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅନ୍ତର୍ଜାତୀୟ ସୁନା ତସ୍କରୀର ବଡ ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି ଏୟାର ଇଣ୍ଟେଲଜେନ୍ସି ୟୁନିଟ । ସିଙ୍ଗାପୁରରୁ ମୁମ୍ବାଇ ଫେରିଥିବା ଏକ ପରିବାରଠାରୁ ବିପୁଳି ପରିମାଣର ସୁନା ପାଉଡର ଜବତ କରାଯାଇଛି । ଜବତ ସୁନା ପାଉଡର 24 କ୍ଯାରେଟ ବର୍ଗର । ପରିମାଣ ପ୍ରାୟ 2 କେଜି ହେବା ସହ ଆନୁମାନିକ ବଜାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କାରୁ ଅଧିକ ହେବା ନେଇ ପ୍ରାଥମିକ ଭାବେ ତଦନ୍ତକାରୀ ସଂସ୍ଥା ସୂଚନା ଦେଇଛି । ଏହି ଘଟଣାରେ ସମ୍ପୃକ୍ତ ଦମ୍ପତିଙ୍କୁ ଗିରଫ ମଧ୍ୟ କରାଯାଇଛି ।
ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏହି ଘଟଣାଟି 11 ତାରିଖର । 2 ଶିଶୁଙ୍କ ସମେତ 4 ଜଣିଆ ସଦସ୍ୟ ବିଶିଷ୍ଟ ଏକ ପରିବାର ସିଙ୍ଗାପୁରରୁ ଇଣ୍ଡିଗୋ ବିମାନ (6E 1012)ରେ ମୁମ୍ବାଇ ଫେରୁଥିଲେ । ତେବେ ଏହି ପରିବାର ସାଙ୍ଗରେ ସୁନା ଆଣିଥିବା କୌଣସି ସୂତ୍ରରୁ ଏୟାର ଇଣ୍ଟେଲଜେନ୍ସି ୟୁନିଟକୁ ସୂଚନା ମିଳିଥିଲା । ବିମାନ ଅବତରଣ କରିବା ପୂର୍ବରୁ ସମସ୍ତ ପୂର୍ବ ପ୍ରସ୍ତୁତି କରିଥିଲେ ଇଣ୍ଟେଲଜେନ୍ସି ୟୁନିଟ ଅଧିକାରୀ । ଟର୍ନିନାଲରେ ଏହି ପରିବାର ସଦସ୍ୟଙ୍କୁ ରୋକାଯିବା ସହ ତନଖି କରାଯାଇଥିଲା । ସେମାନଙ୍କ ଲଗେଜରୁ 2ଟି ପ୍ଯାକେଟରେ ପ୍ରାୟ 2 କେଜି ସୁନା ପାଉଡର ଜବତ କରାଯାଇଥିଲା ।
ଏହି ପରିବାରରେ ଦମ୍ପତି ଓ ସେମାନଙ୍କର ଦୁଇ ଶିଶୁ ରହିଛନ୍ତି । ଦମ୍ପତିଙ୍କୁ ପୋଲିସ ହେପାଜତକୁ ନେଇଛି । ପ୍ରାଥମିକ ତଦନ୍ତ ପରେ ସେମାନଙ୍କୁ ଜୁଡିସିଆଲ କଷ୍ଟଡିକୁ ପଠାଯାଇଛି । ଜବତ ସୁନାର ପ୍ରାଥମିକ ଆକଳନ ଅନୁସାରେ ଏହାର ମୂଲ୍ୟ 1 କୋଟି 27 ଲକ୍ଷ 331 ଟଙ୍କା ବୋଲି ଜଣାପଡିଛି । ସେମାନଙ୍କ ପୂର୍ବ ଟ୍ରାଭେଲ୍ ରେକର୍ଡ ମଧ୍ୟ ଏବେ ଯାଞ୍ଚ କରାଯାଉଛି ।