ବେଙ୍ଗାଲୁରୁ: ବର୍ଷା ପାଣିରେ ଭାସିଗଲା ସୁନା ଗହଣା । ହଜାର କି ଲକ୍ଷେ ନୁହେଁ, ଏକାଥରେ ୨ କୋଟି ଟଙ୍କାର ସୁନା ଅଳଙ୍କାର ଭସାଇ ନେଲା ବର୍ଷା । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ବେଙ୍ଗାଲୁରୁରୁ । ଦୁଇ ଦିନ ଧରି ପ୍ରବଳ ବର୍ଷା ପବନରେ ବେହାଲ ହୋଇପଡିଥିବା ବେଙ୍ଗାଲୁରୁ ସହରର ଗୋଟିଏ ସୁନା ଦୋକାନରୁ ପାଖାପାଖି ୨ କୋଟି ଟଙ୍କାର ସୁନାଗହଣା ଭାସି ଯାଇଥିବା ଖବର ମିଳିଛି । ମାଲେଶ୍ବର ଅଞ୍ଚଳରେ ଥିବା 'ନିହାନ' ନାମକ ସୁନା ଦୋକାନରେ ଏଭଳି ଘଟିଛି ।
ଯାହା ସୂଚନା ମିଳିଛି, ପ୍ରବଳ ବର୍ଷା ଯୋଗୁଁ ଦୋକାନ ଭିତରେ ପାଣି ମାଡି ଯାଇଥିଲା । ପାଣି ସହିତ ଅଳିଆ ଆବର୍ଜନା ସବୁ ଦୋକାନରେ ଭର୍ତ୍ତି ହୋଇଯାଇଥିଲା । ଯେଉଁ କାରଣରୁ କର୍ମଚାରୀମାନେ ଆଉ ସଟର ବନ୍ଦ କରିପାରି ନଥିଲେ । ଫଳରେ ବର୍ଷାଜଳରେ କୋଟିକୋଟି ଟଙ୍କାର ସୁନାଗହଣା ଭାସି ଯାଇଥିଲା ।
ଦୋକାନ ମାଲିକଙ୍କ କହିବା ଅନୁସାରେ, "କିଛି ଦିନ ହେଲା ତାଙ୍କ ଦୋକାନ ନିକଟରେ ଖନନ କାର୍ଯ୍ୟ ଚାଲିଛି । ଯେଉଁ କାରଣରୁ ଏଭଳି କ୍ଷତି ହୋଇଛି । ବର୍ଷାପାଣି ଦୋକାନରେ ପଶିବା ପରେ ଅଳଙ୍କାର ଗୁଡିକ ଓଦା ହୋଇଯାଇଥିଲା । ସହୟତା ପାଇଁ ସେ ମ୍ୟୁନିସିପାଲିଟିକୁ ଯୋଗାଯୋଗ କରିଥିଲେ । କିନ୍ତୁ ସାହାଯ୍ୟ କରିବାକୁ କୌଣସି କର୍ମଚାରୀ ଆସିନଥିଲେ । ଫଳରେ ବର୍ଷାଜଳରେ ଦୋକାନରେ ଥିବା ୮୦ ଭାଗ ଅଳଙ୍କାର ଭାସି ଯାଇଛି ।" ଯାହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ମାଲିକ କହିଛନ୍ତି ।