ଭବାନୀପାଟଣା:ବିଶ୍ବବାସୀଙ୍କ ଦୁଃଖ ହରଣକାରୀ ମା' ଦୁର୍ଗତୀନାଶିନୀ । ଜଗତର କଲ୍ୟାଣ ପାଇଁ ଧରାପୃଷ୍ଠରେ ଅବତରଣ କରନ୍ତି ମା' ଦୁର୍ଗା । ଅନେକ ରୂପରେ ଭକ୍ତ ପାଇଁ ସାଜିଥାଏ ରକ୍ଷାକବଚ । ମା' ଦୁର୍ଗାଙ୍କ ଏକ ରୂପ ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ବରୀ । ଲଙ୍କାରୁ ଆସି କଳାହାଣ୍ଡି ଜିଲ୍ଲା ଜୁନାଗଡରେ ପୂଜା ପାଉଛନ୍ତି ମା' । ଛଅକୋଡି ବନ୍ଧ ଓ ନଅକୋଡି ତୋଟା ପରିବେଷ୍ଟିତ ଏହି ଐତିହାସିକ ସହରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲଙ୍କେଶ୍ବରୀ ।
ଶାରଦୀୟ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ ଜୁନାଗଡ଼ ସହରରେ ମାଆ ଲଙ୍କେଶ୍ଵରୀ ଦେବୀଙ୍କ ଏହିଯାତ୍ରା ପାଇଁ ବହୁ ଭକ୍ତଙ୍କ ଜନସମାଗମ ହେଇଥାଏ । କଳାହାଣ୍ଡିର ସର୍ବପୁରାତନ ମନ୍ଦିରମାଳିନୀ ସହର ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା' ଲଙ୍କେଶ୍ବରୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ଷୋଡଶ ଉପଚାର ପୂଜା । ଏଠାରେ ମା’ଙ୍କ ବାରମାସରେ ତେର ପର୍ବ ପାଳିତ ହେଉଥିବାବେଳେ, ଖଣ୍ଡାବସା ଯାତ୍ରା ହେଉଛି ମାଙ୍କ ମୁଖ୍ୟ ପର୍ବ । ଏହି ଯାତ୍ରା ଆଶ୍ବିନ ମାସ ମୂଳାଷ୍ଟମୀରୁ ୧୬ ଦିନ ଧରି ଚାଲିଥାଏ ।
କିମ୍ବଦନ୍ତୀ ଅନୁଯାୟୀ ପୁରାତନ କାଳରୁ ନାଗବଂଶୀୟ ରାଜା ଯୁଦ୍ଧକୁ ଯିବା ପୂର୍ବରୁ ଶତ୍ରୁକୁ ପରାସ୍ତ କରିବା ପାଇଁ ମା' ଲଙ୍କେଶ୍ବରୀଙ୍କୁ ସୁମରଣ କରିନ୍ତି । ସେହି ଦିନଠାରୁ ଏହି ଖଣ୍ଡାବସା ଯାତ୍ରା ପାଳନ ହୋଇଆସୁଛି (khandabasa festival celebrated ) । ପରମ୍ପରା ଅନୁଯାୟୀ ମା'ଙ୍କ ମନ୍ଦିରରୁ ଶଙ୍ଖୁଆରୀ ଖଣ୍ଡା ଓ ପାଟ ଖଣ୍ଡାକୁ ମନ୍ଦିର ଗର୍ଭଗୃହରୁ ବାହାର କରି ସହରର ଡାକବଙ୍ଗଳାଠାରେ ଏକ ଅସ୍ଥାୟୀ ମନ୍ଦିରରେ ପହଞ୍ଚି ସେଠାରେ ସ୍ବର୍ଣ୍ଣାକାର ଦୁଇଟି ଖଣ୍ଡାକୁ ମାର୍ଜନା କରିବା ପରେ ଆରମ୍ଭ ହୋଇଥାଏ ମା'ଙ୍କ ତନ୍ତ୍ର ପୂଜା ।