ମୁମ୍ବାଇ:ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମୁମ୍ବାଇ ଫେରିଲା ଗୋଆ ଯାଉଥିବା ଗୋ ଫ୍ଲାଷ୍ଟ ବିମାନ । ବୁଧବାର ରାତିରେ ବିମାନଟି ମୁମ୍ବାଇ ବିମାନ ବନ୍ଦରରୁ ଗୋଆ ଅଭିମୁଖେ ଉଡାଣ ଭରିଥିଲା । ମାତ୍ର ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ଜଣାପଡିବା ପରେ ପାଇଲଟ ଅଧାବାଟରୁ ବିମାନକୁ ଫେରାଇ ଆଣି ମୁମ୍ବାଇରେ ଅବତରଣ କରାଇଥିଲେ(Goa Bound Go First Flight Returns To Mumbai) । ଏହି ବିମାନରେ ମୋଟ ୧୮୨ ଜଣ ଯାତ୍ରୀ ଥିଲେ । ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(DGCA) ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ମୁତାବକ, ଗୋ ଫାଷ୍ଟର G8-371 ବିମାନରେ ଏହି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ବୁଧବାର ରାତିରେ ବିମାନଟି ମୁମ୍ବାଇରୁ ଗୋଆ ଯାଉଥିବା ବେଳେ ମଝି ଆକାଶରେ ଏଥିରେ ତ୍ରୁଟି ଥିବା ଜାଣି ପାଇଲଟ ପୁଣି ମୁମ୍ବାଇକୁ ଫେରି ଆସିଥିଲେ । ଏହାପରେ ଆଉ ଏକ ବିମାନ ଯୋଗେ ଯାତ୍ରୀଙ୍କୁ ଗୋଆ ନିଆଯାଇଥିଲା । ଏହି ଅସୁବିଧା ପାଇଁ ସମ୍ପୃକ୍ତ ଏୟାରଲାଇନ୍ସ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ତେବେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା କିଛି ନୂଆ କଥା ନୁହେଁ । ପୂର୍ବରୁ ଇଣ୍ଡିଗୋ ଠାରୁ ନେଇ ଭିସ୍ତାରା ଯାଏଁ ଅନେକ ବିମାନରେ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାର ଜରୁରୀ ଅବତରଣ କରିଛି ।