ପାଣାଜୀ:ଗୋଆ ବିଧାନସଭା ନିର୍ବାଚନ (Goa Assembly Election) ରେ ଶାସକ ଭାରତୀୟ ଜନତା ପାର୍ଟି (BJP) ମୋଟ 40 ଟି ଆସନରୁ 38 ଟି ଆସନରେ ନିର୍ବାଚନ ଲଢିବ । ଆସନ୍ତା ମାସ 14 ତାରିଖରେ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନ (Goa Election) ପାଇଁ ଦଳ ଏହି ନିଷ୍ପତ୍ତି ନେଇଛି । ଏନେଇ ଆଜି ଗୋଆ ଦାୟିତ୍ବରେ ଥିବା ଦଳର ବରିଷ୍ଠ ନେତା ସୂଚନା ଦେଇଛନ୍ତି ।
ରାଜ୍ୟର ମୋଟ 40 ଟି ବିଧାନସଭା ଆସନ ମଧ୍ୟରୁ 2 ଟି ଆସନ ବେନାଉଲିମ (Benaulim) ଓ ନୁଭେମ (Nuvem) ବିଧାନସଭା ଆସନରେ ଦଳ କୌଣସି ପ୍ରାର୍ଥୀ ଦେବ ନାହିଁ । ଉଭୟ ଆସନ ଇସାଇ ମତଦାତାଙ୍କ ପ୍ରଭାବ ଥିବା ବେଳେ ଏହା ବିଜେପି ବିରୋଧରେ ଯାଇଥାଏ । ଫଳରେ ଦଳ ବର୍ତ୍ତମାନର ସ୍ଥିତିକୁ ଦେଖି କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଛି ।
ବର୍ତ୍ତମାନ ବେନାଉଲିମ ବିଧାନସଭା ଆସନରୁ ଚର୍ଚ୍ଚିଲ ଅଲେମାଔ (Churchill Alemao) ବିଧାୟକ ଅଛନ୍ତି । ଯିଏ ରାଷ୍ଟ୍ରବାଦୀ କଂଗ୍ରେସ(NCP ) ରୁ ନିର୍ବାଚନ ଲଢିଥିଲେ । କିନ୍ତୁ ଗତ କିଛି ଦିନ ତଳେ ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହାବାଦ ନୁଭେମ ବିଧାନସଭା ଆସନରୁ ୱିଲଫ୍ରିଡ ଡିସା (Wilfred D'sa) ବିଧାୟକ ଥିବା ବେଳେ ସେ କଂଗ୍ରେସ ଟିକେଟରୁ ନିର୍ବାଚିତ ହୋଇଥିଲେ । ହେଲେ ସେ ମଧ୍ୟ ବିଜେପିରେ ସାମିଲ ହୋଇସାରିଛନ୍ତି ।