ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡ ହିମସ୍ଖଳନ: 10 ମୃତଦେହ ଉଦ୍ଧାର, 100ରୁ ଊର୍ଦ୍ଧ୍ବ ନିଖୋଜ - ଉତ୍ତରାଖଣ୍ଡ

ଜୋଶିମଠର ରୈନି ଗାଁରେ ଭୟଙ୍କର ହିମସ୍ଖଳନ ହୋଇଛି । ଏହି ଅଘଟଣରେ 100ରୁ ଊର୍ଦ୍ଧ୍ବ ନିଖୋଜ ଅଛନ୍ତି । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡରେ ହିମସ୍ଖଳନ
ଉତ୍ତରାଖଣ୍ଡରେ ହିମସ୍ଖଳନ

By

Published : Feb 7, 2021, 12:44 PM IST

Updated : Feb 7, 2021, 8:00 PM IST

ଡେରାଡୁନ୍: ଉତ୍ତରାଖଣ୍ଡରେ ହିମସ୍ଖଳନ । ଜୋଶିମଠର ରୈନି ଗାଁରେ ଗ୍ଲାସିଅର ଭାଙ୍ଗିବା ଯୋଗୁଁ ବନ୍ୟା ଆଶଙ୍କା ଦେଖାଦେଇଛି । ସକାଳ 10 ଟା 55 ମିନିଟରେ ଏହି ଅଘଟଣ ଘଟି ଋଷିଗଙ୍ଗା ଡ୍ୟାମ କ୍ଷତିଗ୍ରସ୍ତ ହୋଇଛି । ହଠାତ ଜଳସ୍ତର ବଢିଯିବାରୁ ଧଉଳିଗଙ୍ଗା ଓ ଅଳକାନନ୍ଦ ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଯୁଦ୍ଧକାଳୀନ ଭିତ୍ତିରେ ନଦୀକୂଳିଆଙ୍କୁ ସ୍ଥାନ ଖାଲି କରିବାକୁ ପରାମର୍ଶ ଦେଇଛି ପ୍ରଶାସନ । ସେପଟେ ଉଦ୍ଧାରକାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଆଇଟିବିପି ଯବାନ ପହଞ୍ଚିଛନ୍ତି । ଅନ୍ୟପକ୍ଷେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ଉତ୍ତରାଖଣ୍ଡରେ ହିମସ୍ଖଳନ

ଏହି ଅଘଟଣ ପରେ ଉତ୍ତରାଖଣ୍ଡ ଚାମୋଲିରେ କ୍ୟାବିନେଟ ବୈଠକ ବସିବାକୁ ଯାଉଛି । ଡିଜିଙ୍କ ସମେତ ଗୃହ ମନ୍ତ୍ରଣାଳୟର ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷେ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି । କୌଣସି ପ୍ରକାରର ସାହାଯ୍ୟ ପାଇଁ ବିପର୍ଯ୍ୟୟ ଅପରେସନ୍ ସେଣ୍ଟର ନମ୍ବର 1070 କିମ୍ବା 9557444486 ସହିତ ଯୋଗାଯୋଗ କରିପାରିବେ । ଏହାସହ ପୁରୁଣା ଭିଡିଓ ସେୟାର କରି ଗୁଜବ ସୃଷ୍ଟି ନ କରିବାକୁ ସେ ଅନୁରୋଧ କରିଛନ୍ତି ।

ସୀମା ସଡକ ସଂଗଠନ ଦ୍ବାରା ଜୋଶିମଠ ନିକଟରେ ନିର୍ମାଣ ହୋଇଥିବା ବ୍ରିଜ୍ ଧୋଇ ହୋଇଯାଇଛି । ବ୍ରିଜକୁ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଆରଓ ମହାନିର୍ଦ୍ଦେଶ ଲେଫ୍ଟନାଣ୍ଟ ଜେନେରାଲ୍ ରାଜୀବ ଚୌଧୁରୀ । ପ୍ରାୟ 100 କର୍ମଚାରୀ ପାୱାର ପ୍ଲାଣ୍ଟରେ ଫସି ରହିଥିବା ସନ୍ଦେହ କରାଯାଉଛି। ସେଥିମଧ୍ୟରୁ 10ଟି ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାର ରହିଛି । 250 ଜଣ ଆଇଟିବିପି କର୍ମଚାରୀ ଉପସ୍ଥିତ ଅଛନ୍ତି । ଉତ୍ତରାଖଣ୍ଡର ତାପୋବନ ଡ୍ୟାମ ନିକଟରେ ଏକ ନିର୍ମାଣାଧୀନ ଟନେଲ ଥିଲା ଯେଉଁଠାରେ ପ୍ରାୟ 20 ଜଣ ଶ୍ରମିକ ଅଟକି ରହିଛନ୍ତି। ସାଇଟରେ ନିୟୋଜିତ ଆଇଟିବିପି ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନିଖୋଜ ଲୋକଙ୍କ ବିଷୟରେ ସୂଚନା ସଂଗ୍ରହ କରିବାକୁ ଆମେ NTPC ର ପରିଚାଳନା ଦଳ ସହିତ ଯୋଗାଯୋଗରେ ଅଛୁ ବୋଲି ଆଇଟିବିପି ଡିଜି ଏସଏସ ଦେଶୱାଲ୍ ସୂଚନା ଦେଇଛନ୍ତି ।

ଉତ୍ତରାଖଣ୍ଡରେ ଭାଙ୍ଗିଲା ଗ୍ଲାସିଅର, ବନ୍ୟା ଆଶଙ୍କା

ଏଥି ସହିତ ଜୋଶିମଠରେ ଚାଲିଥିବା ରେଳ ନିର୍ମାଣ କାର୍ଯ୍ୟକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ଜୋଶିମଠ-ବଦ୍ରିନାଥ ରାସ୍ତାରେ ବିଷ୍ଣୁପ୍ରୟାଗ ବା ଋଷି ଗଙ୍ଗାରେ ଗ୍ଲାସିଅର ଭାଙ୍ଗିଥିବା ସୂଚନା ମିଳିଛି। ବିଷ୍ଣୁପ୍ରୟାଗ, ଜୋଶିମଠ, କର୍ଣ୍ଣପ୍ରୟାଗ, ରୁଦ୍ରପ୍ରୟାଗ, ଶ୍ରୀନଗର, ଋଷିକେଶରୁ ହରିଦ୍ବାର ପର୍ଯ୍ୟନ୍ତ ଅଲକାନନ୍ଦ ଏବଂ ଗଙ୍ଗା କୂଳକୁ ନ ଯିବାକୁ ପ୍ରଶାସନ ନିବେଦନ କରିଛି। ଏହାସହ ଅଳକାନନ୍ଦ ନଦୀକୂଳିଆଙ୍କୁ ସ୍ଥାନାନ୍ତରିତ କରାଯାଉଛି । ବନ୍ୟା ଆଶଙ୍କା ନେଇ ଭାଗିରଥୀ ନଦୀ ପ୍ରବାହକୁ ଅଟକାଇବା ପାଇଁ ଅଳକାନନ୍ଦ, ଶ୍ରୀନଗର ଓ ଋଷିକେଶ ଡ୍ୟାମକୁ ବନ୍ଦ କରାଯାଇଛି । ସେହିପରି ଏସଡିଆରଏଫ୍ ଟିମ ଆଲର୍ଟରେ ଥିବା ନେଇ ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ।

ଉତ୍ତରାଖଣ୍ଡରେ ଭାଙ୍ଗିଲା ଗ୍ଲାସିୟର, ବନ୍ୟା ଆଶଙ୍କା

ତେବେ ଏହି ଦୁର୍ଘଟଣାରେ 100-150 ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର । ଅଲକାନନ୍ଦ ନଦୀରେ ଜଳ ପ୍ରବାହ ନନ୍ଦପ୍ରୟାଗରେ ସାମାନ୍ୟ ରହିଛି । ନଦୀ ଜଳସ୍ତର ବର୍ତ୍ତମାନ ସାଧାରଣ ପ୍ରବାହ ଠାରୁ 1 ମିଟର ଉଚ୍ଚରେ ରହିଛି । ମୁଖ୍ୟ ସଚିବ, ବିପର୍ଯ୍ୟୟ ସଚିବ, ପୋଲିସ ଅଧିକାରୀ ଏବଂ ସମସ୍ତ ଦଳ ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷରେ ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ତପୋବନ ଡ୍ୟାମରୁ 16 ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ସୂଚନା ଦେଇଛନ୍ତି ଡିଜିପି । ଏହାସହ ପାୱାର ପ୍ଲାଣ୍ଟ ପ୍ରୋଜେକ୍ଟରେ କାର୍ଯ୍ୟରତ ଥିବା 150 କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଇଛି । ଅନ୍ୟପକ୍ଷେ ମେଷପାଳକମାନଙ୍କ ସମେତ 5 ଜଣ ସ୍ଥାନୀୟ ଲୋକ ନିଖୋଜ ଅଛନ୍ତି । ଏହାସହ 180 ମେଣ୍ଢା ଓ ଛେଳି ବନ୍ୟାରେ ଭାସି ଯାଇଛନ୍ତି। ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତପୋବନ ଡ୍ୟାମରୁ 16 ଜଣ ଲୋକଙ୍କୁ ଉଦ୍ଧାର କରୁଛନ୍ତି ଯବାନ

ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ବାୟୁସେନାର ଦୁଇଟି ମିଗ୍ -17 ଏବଂ ଗୋଟିଏ ALH ଧ୍ରୁବ୍ ହେଲିକପ୍ଟର ନିୟୋଜିତ ହୋଇଛି । ଆବଶ୍ୟକ ପଡିଲେ ଅଧିକରୁ ଅଧିକ ଏୟାରକ୍ରାଫ୍ଟ ବ୍ୟବହାର କରାଯିବା ନେଇ ବାୟୁ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଋଷିକେଶ ନିକଟରେ ଥିବା ମିଲିଟାରୀ ଷ୍ଟେସନ ସ୍ଥାନୀୟ ପ୍ରଶାସନ ସହିତ ମିଶି ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଜାରି ରଖିଛନ୍ତି ।

ଏହାସହ 600ରୁ ଅଧିକ ଯବାନ ନିୟୋଜିତ ଅଛନ୍ତି ଏବଂ ସ୍ଥାନୀୟ ପ୍ରଶାସନର ସହଯୋଗରେ କାର୍ଯ୍ୟ କରୁଛନ୍ତି । ପରିସ୍ଥିତିର ଆକଳନ କରିବାକୁ ଗୋଟିଏ ଦଳ ଘଟଣାସ୍ଥଳରେ ଅଛନ୍ତି। ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜୋଶିମଠ ନିକଟରେ ଅନ୍ୟ ଏକ ଦଳ ନିୟୋଜିତ ଅଛନ୍ତି ବୋଲି ଆଇଟିବିପି ପକ୍ଷରୁ କୁହାଯାଇଛି । ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (SDRF) ର ଦଳ ଜୋଶିମଠରେ ନିୟୋଜିତ ହୋଇସାରିଛନ୍ତି। ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF) ପୂର୍ବରୁ ଡେରାଡୁନରୁ ଜୋଶିମଠକୁ ଯାଇଛନ୍ତି । ଏହାସହ ଆଉ 3 ରୁ 4 ଟିମ୍ ପଠାଇବା ବ୍ୟବସ୍ଥା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 7, 2021, 8:00 PM IST

ABOUT THE AUTHOR

...view details