ହାଇଦ୍ରାବାଦ:ଟ୍ରେନରେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆଟିବିପିର ଦୁଇ ଯବାନଙ୍କୁ ବାନ୍ଧିଲା ରେଳବାଇ ପୋଲିସ । ବିହାର ଛାପ୍ରା ଜଙ୍କସନରେ ଆସାମ ଦିବୃଗଡରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ କିଛି ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗରେ ରେଳବାଇ ପୋଲିସ ଇଣ୍ଡୋ ତିବ୍ବତ ବର୍ଡର ପୋଲିସର ଦୁଇ ଯବାନଙ୍କୁ ଗିରଫ କରିଛି । ପଶ୍ଚିମବଙ୍ଗରୁ କିଛି ଛାତ୍ରୀ ଷ୍ଟଡିଟୁରରେ ଦିଲ୍ଲୀ ଯାଉଥିଲେ । ଉକ୍ତ ବଗିରେ ଏହି ଦୁଇ ଯବାନ ମଧ୍ୟ ଯାତ୍ରା କରୁଥିଲେ । ତେବେ ଏହି ଦୁଇ ଯବାନ ନିଶାସକ୍ତ ଅବସ୍ଥାରେ ଛାତ୍ରୀମାନଙ୍କୁ ଅସଦାଚରଣ କରିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ରେଳବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଛାପ୍ରା ଜଙ୍କସନରେ ଉଭୟ ଯବାନଙ୍କୁ ଗିରଫ କରାଯାଇଛି ।
ନବୋଦୟ ବିଦ୍ୟାଳୟର କିଛି ଛାତ୍ରୀ ଦିଲ୍ଲୀ ଯାଉଥିଲେ । ଏମାନେ ଜଲପାଇଗୁଡିରୁ ଟ୍ରେନ ଚଢିଥିଲେ । ଉକ୍ତ ବଗିରେ ପୂର୍ବରୁ ଥିବା ଏହି ଦୁଇ ଯବାନ ସେମାନଙ୍କୁ ଅସଦାଚରଣ କରିଥିଲେ । ଏନେଇ ଛାତ୍ରୀମାନେ ରେଳବାଇ ଏସ୍କକର୍ଟ ଟିମକୁ ଅବଗତ କରିଥିଲେ । ଏସ୍କକର୍ଟ ଟିମ ଷ୍ଟେସନ ପୋଷ୍ଟକୁ ଘଟଣା ସମ୍ପର୍କରେ ଜଣାଇଥିଲା । ଉଭୟ ଯବାନଙ୍କୁ ଗିରଫ କରିବା ପାଇଁ ରେଳବାଇ ପୋଲିସର ଏକ ଟିମ ପ୍ରସ୍ତୁତି ଆରମ୍ଭ କରିଥିଲା । ଟ୍ରେନ ଛାପ୍ରା ଜଙ୍କସନରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ପୋଲିସ ଟିମ ଉଭୟ ଯବାନଙ୍କୁ ଗିରଫ କରି ହେପାଜତକୁ ନେଇଥିଲା । ତେବେ ଉଭୟ ଯବାନ ନିଶାସକ୍ତ ଅବସ୍ଥାରେ ଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଥିଲା ।