ଲକ୍ଷ୍ନୌ:ପୁଣି ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଲା ଅନରକିଲିଂ ଘଟଣା । ଜନ୍ମଦାତ୍ରୀ ଝିଅର ଜୀବନ ନେବାକୁ ପଛାଇ ନାହିଁ । ଯୁବତୀଙ୍କ ପ୍ରେମ ସମ୍ବନ୍ଧ ସମ୍ପର୍କରେ ଜାଣିବା ପରେ ଭାଇ ଓ ମାଆ ଉଭୟ ମିଶି ଯୁବତୀଙ୍କ ଦେହରେ ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି । ସୌଭାଗ୍ୟବଶତଃ ଯୁବତୀଙ୍କ ଜୀବନ ବଞ୍ଚିଯାଇଥିବା ବେଳେ ସେ ଗୁରୁତର ଅବସ୍ଥାରେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।
ଏହା ବି ପଢନ୍ତୁ- ଉତ୍ତର ପ୍ରଦେଶର ଅନର କିଲିଂ ! ଅଖା ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
ଏହି ଘଟଣା ବାହାଦୁରଗଡ଼ ପୋଲିସ ଷ୍ଟେସନ ଅଞ୍ଚଳର ହପୁର ନିକଟ ନୱାଦା ଖୁର୍ଦ୍ଦ ଗ୍ରାମରେ ଘଟିଛି । ହପୁର ଏଏସପି ରାଜକୁମାରଙ୍କ କହିବା ଅନୁସାରେ ଯୁବତୀଙ୍କ ପରିବାରବର୍ଗ ଏହି ପ୍ରେମ ସମ୍ପର୍କକୁ ବିରୋଧ କରିଆସୁଥିଲେ । ଏଥିଲାଗି ଯୁବତୀଙ୍କ ମାଆ ଓ ଭାଇ ପ୍ରଥମେ ତାଙ୍କୁ ଏକ କ୍ଷେତକୁ ନେଇଥିଲେ । ସେଠାରେ ଯୁବତୀଙ୍କୁ ମାଡ଼ ମାରିବା ପରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହାପରେ ଯୁବତୀ ଜଣକ ପ୍ରାଣ ବିକଳରେ ସହାୟତା ମାଗି ଚିତ୍କାର କରି କ୍ଷେତରେ ଦୌଡ଼ିଥିଲେ । ହେଲେ ସେଠାରେ କେହିନଥିଲେ ।
ଏହା ବି ପଢନ୍ତୁ- UP Honour Killing: ଝିଅ ସହ ପ୍ରେମିକକୁ ହତ୍ୟା କଲେ ବାପା-ଭାଇ, 2 ଗିରଫ
କିଛି ସମୟ ପରେ ଗ୍ରାମବାସୀ କାନ୍ଦ ସ୍ବର ଶୁଣି କ୍ଷେତ ଆଡ଼କୁ ଧାଇଁଥିଲେ । ଏହାପରେ ଯୁବତୀଙ୍କ ଶରୀରରୁ ନିଆଁ ଲିଭାଇବା ସହିତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସିବା ଶୁଣି ଅଭିଯୁକ୍ତ ଭାଇ ଓ ମାଆ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ସେମାନଙ୍କୁ କାବୁ କରି ପୋଲିସକୁ ଜିମା ଦେଇଥିଲେ । ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ଭାଇ ଓ ମାଆକୁ ଗିରଫ କରି ତଦନ୍ତ ଚଳାଇଛି । ସେପଟେ ଯୁବତୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ତାଙ୍କ ଚିକିତ୍ସା ଜାରି ରହିଛି । ତଦନ୍ତ ପରେ ପୁରା ଘଟଣା ସମ୍ପର୍କରେ ସୂଚନା ଦିଆଯିବ ବୋଲି ପୋଲିସ କହିଛି ।
ଏହା ବି ପଢନ୍ତୁ- Honour Killing: ଅନ୍ୟ ଜାତିର ପୁଅକୁ ପ୍ରେମ କରିବାରୁ ନାବାଳିକାର ଜୀବନ ନେଲା ପରିବାର
ସୂଚନା ଥାଉ କି ଉତ୍ତରପ୍ରଦେଶରୁ ଲଗାତାର ଭାବେ ଏପରି ଅନରକିଲିଂ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ପରିବାରବର୍ଗ ନିଜ ସମ୍ମାନ ଲାଗି ପ୍ରେମ କରିଥିବା ପୁଅ, ଝିଅ, ଜ୍ବାଇଁକୁ ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି । ଉତ୍ତର ପ୍ରଦେଶ କୁଶିନଗରରେ ଗତ ଫେବୃଆରୀ 19 ତାରିଖରେ ସନ୍ଦେହଜନକ ଅବସ୍ଥାରେ ନଦୀକୂଳରେ ପଡିଥିବା ଏକ ଅଖା ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଗ୍ରାମବାସୀଙ୍କ ସୂଚନା ଅନୁସାରେ ଯୁବତୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଯାହାକୁ ତାର ପରିବାର ସଦସ୍ୟ ବିରୋଧ କରି ଆସୁଥିଲେ । ଏଥିଲାଗି ହତ୍ୟା କରାଯାଇଥିବା ନେଇ ପୋଲିସକୁ ସୂଚନା ଦେଇଥିଲେ ଗ୍ରାମବାସୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ